ଗାନ୍ଧୀଙ୍କ ଦର୍ଶନ ସାରା ବିଶ୍ୱକୁ ଚକିତ କରିଛି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ସ୍ଥାନୀୟ ଗଙ୍ଗନଗରସ୍ଥିତ ଓଡ଼ିଶା ନାଗରିକ ମହାମଞ୍ଚ କାର୍ଯ୍ୟାଳୟଠାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, କଳିଙ୍ଗ ପାଇକ ସଂଗଠନ, ନମାମୀ ମନ୍ଦାକିନୀ ଓ ଧାରା ଶ୍ରୀଧାରା ଆନୁକୂଲ୍ୟରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ସହ ଓଡ଼ିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ବିଶିଷ୍ଟ ସ୍ତମ୍ଭକାର ଜାନକୀଶ ବଡପଣ୍ଡା, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବରିଷ୍ଠ ଅଧିକାରୀ, ସାହିତ୍ୟିକ ସହଦେବ ଜୟସିଂ, ଶିକ୍ଷାବିତ ସୀତାବଲ୍ଲଭ ମହାପାତ୍ର, ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, ଯନ୍ତ୍ରୀ ଶିଶିର ନାୟକ ପ୍ରମୁଖ ଉପସ୍ଥିତ ରହି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ, ଦର୍ଶନ, କର୍ମ ପ୍ରମୁଖ ସାରା ବିଶ୍ୱକୁ ଚକିତ କରିଛି ଏବଂ ଆଜି ବି ତାଙ୍କ ଦର୍ଶନର ପ୍ରାସଙ୍ଗିକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହିତ ସ୍ୱାଧୀନତା ଆନ୍ଦୋଳନର ପ୍ରମୁଖ କର୍ଣ୍ଣଧାର ସାଜିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରି ବରିଷ୍ଠ ସାମ୍ବାଦିକ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ ଯେ ବିଶିଷ୍ଟ ଗାନ୍ଧିବାଦୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ମହାତ୍ମା ଗାନ୍ଧୀଙ୍କୁ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ପ୍ରମୁଖ ବିଷୟରେ ସର୍ବପ୍ରଥମେ ପରିଚିତ କରାଇଥିଲେ । କୌଣସିମତେ ଆମେ ମହାପୁରୁଷ ଓ ପୂଜ୍ୟମାନଙ୍କୁ ଭୁଲିବା ଉଚିତ ନୁହେଁ ବୋଲି ମତବ୍ୟକ୍ତ କରିବା ସହ ଆଜିର ଯୁବପିଢୀ ନିଜ ନିଜସ୍ତରରେ ମହାପୁରୁଷମାନଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କର କୃତିକୁ ଆଦର୍ଶ ଭାବେ ପାଳନ କଲେ ଏକ ବିକାଶିତ ରାଷ୍ଟ୍ର ଏବଂ ଓଡ଼ିଶାର ଗର୍ବ ଓ ଗୌରବ ବଜାୟ ରହିପାରିବ । ପ୍ରାରମ୍ଭରେ ବିଜୟ କୁମାର ପରିଡ଼ା, ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିଯାନର ବରିଷ୍ଠ ସଦସ୍ୟ ବ୍ରଜବନ୍ଧୁ ପରିଡ଼ା, ସୀତାଂଶୁ ଶେଖର ମହାରଣା, ସମିତା ମହାରଣା,ଲକ୍ଷ୍ମଣ ଦାସ, ରମେଶ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି । ଶେଷରେ ଓଡ଼ିଶା ନାଗରିକ ମଞ୍ଚର ଉପସଭାପତି ପ୍ରଦୀପ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।


