ଗୁଜୁରାଟରେ ୧୦୦ରୁ ଊର୍ଦ୍ଧ୍ବ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ
ଗୁଜୁରାଟ : କରୋନା କବଳରେ ଏବେ କରୋନା ଯୋଦ୍ଧା। ଗୁଜୁରାଟରେ କରୋନା ବିରୋଧରେ ଲଢେଇ ଜାରି ରଖିଥିବା 100ରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଓ ପୋଲିସ୍ କର୍ମୀ ସଂକ୍ରମିତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ୬୨ ଜଣ ସ୍ବାସ୍ଥ୍ୟ କର୍ମୀ ଓ ୪୪ ଜଣ ପୋଲିସ୍ କର୍ମୀ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟରୁ ୧୨ ଜଣ ଏଠାରେ ସରକାରୀ ଏଲ୍ଜି ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ଏହି ୬୨ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଡାକ୍ତର, ନର୍ସ, ଆମ୍ବୁଲାନ୍ସ ଡ୍ରାଇଭର ସାମିଲ୍ ରହିଛନ୍ତି। ସେହିପରି ୪୪ ଜଣ ପୋଲିସ୍ କର୍ମୀଙ୍କ ମଧ୍ୟରେ ୪୦ ଜଣ ଅହମ୍ମଦାବାଦ ପୋଲିସ୍ରେ ଅଂଶବିଶେଷ। ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଅହମ୍ମଦାବାଦ ସିବିଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କ ସହ ଭିଡିଓ କନ୍ଫରେନ୍ସିଂରେ କଥାବାର୍ତ୍ତା କରି କରୋନା ଯୋଦ୍ଧାଙ୍କ ପ୍ରଶଂସା କରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ହଜାର ଟପିଥିବା ବେଳେ ୬୦୦ ରୁ ଊର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଛି। ସେହିପରି ୩୮୭୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗୁଜୁରାଟରେ ୨୦୦୦ରୁ ଊର୍ଦ୍ଧ୍ବ ସଂକ୍ରମିତ ରହିଥିବାବେଳେ ୯୦ଜଣଙ୍କର ମୃତ୍ୟୁ ହୋଇଛି।


