ଗୁଣାତ୍ମକ ଶିକ୍ଷା ପାଇଁ ସରକାରଙ୍କ ତତ୍ପରତା
ବୁଗୁଡା- ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସରକାରୀ ତତ୍ପରତା ଦେଖାଦେଇଛି। ଓସେପାର ପତ୍ର ସଂଖ୍ୟା ୩୪୭/ଏମଆଇ/୨୦୨୦ ,ତାରିଖ ୦୯/୦୧/୨୦୨୦ ପ୍ରକାରେ ସାରା ଓଡ଼ିଶାରେ ୧୬/୦୧/୨୦୨୦ ତାରିଖ ଦିନ ଅଭିଭାବକ ଶିକ୍ଷକ ସଂଘ(ପିଟିଏ) ବୈଠକ ଅନୁଷ୍ଟିତ ହୋଇ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା କ୍ଷେତ୍ରରେ କିପରି ଉନ୍ନତି ହୋଇପାରିବ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ପିଲାଙ୍କ ବିଦ୍ୟାଳୟରେ ଉପସ୍ଥାନ, ନିୟମିତ ଶିକ୍ଷାଦାନ ଓ ପାଠପଢା, ଗାରିମା ଆୱାର୍ଡ, ଉଜ୍ଜ୍ୱଳା ଓ ଉତ୍ଥାନ ପରେ ଶିକ୍ଷାରେ ପଛୁଆ ଥିବା ପିଲାଙ୍କ ଅଗ୍ରଗତି ପ୍ରଭୃତି ସମ୍ପର୍କରେ ଆଲୋଚନା ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ବୁଗୁଡା ବ୍ଳକର ୧୨୩ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏବଂ ୨୮ ଟି ଉନ୍ନୀତ ଓ ନୋଡାଲ ଉଚ୍ଚ ବିଦ୍ୟାଳୟ,ଏହିପରି ମୋଟ ୧୫୧ ସ୍କୁଲରେ ଗୁରୁବାର ଦିନ ପିଟିଏ ବୈଠକ ଅନୁଷ୍ଟିତ ହୋଇ ଯାଇଛି। ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତିନି ଦିନ ପୂର୍ବରୁ ଅଭିଭାବକ ମାନଙ୍କୁ ନୋଟିସି ଓ ଫୋନ ମାଧ୍ୟମରେ ଅବଗତି କରାଇଥିଲେ। ଏହି ପରି ପଦକ୍ଷେପ ଗ୍ରହଣ କରି ସରକାର ଯଦି ଅଭିଭାବକ ମହଲରେ ସଚେତନତା ସୃଷ୍ଟି କରିପାରିଲେ ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ମାନ ଉନ୍ନତି ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।


