ଗୁଣି ସନ୍ଦେହରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ହତ୍ୟା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ମୋହନା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଣି ସନ୍ଦେହରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇ ଘଞ୍ଚ ଜଙ୍ଗଲ ମଧ୍ୟରେ ଶବକୁ ଫିଙ୍ଗି ଦିଆଯାଇଛି । ସମଗ୍ର ଅଞ୍ଚଳରେ ଏହି ଘଟଣାଟି ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଗପଟିଆ ଗ୍ରାମର ସ୍ୱାମୀ ସ୍ତ୍ରୀଙ୍କୁ ଗୁଣି ସନ୍ଦେହରେ ହତ୍ୟା କାଣ୍ଡଟି ଗତକାଲି ରାତ୍ରରେ ଘଟିଛି । ମୃତକ ସ୍ୱାମୀଙ୍କ ନାମ ପଟ୍ର ମଲିକ ଏବଂ ସ୍ତ୍ରୀଙ୍କ ନାମ ସବିତା ମଲିକ । ସବିତା ମଲିକ ଦିବ୍ୟାଙ୍ଗ ଅଟନ୍ତି । ସ୍ୱାମୀ ପଟ୍ର ମଲିକକୁ ଛାତିରେ ଭୁଜାଲି ମାରି ହତ୍ୟା କରାଯାଇ ଥିବା ବେଳେ ସ୍ତ୍ରୀ ସବିତା ମଲିକକୁ ଗଳା କାଟି ହତ୍ୟା କରାଯାଇଛି । ସ୍ୱାମୀ ଓ ସ୍ତ୍ରୀ ଦୁହିଁଙ୍କ ମୃତ ଦେହକୁ ନିକଟସ୍ଥ କୁଡିମା ଜଙ୍ଗଲକୁ ଫିଙ୍ଗି ଦିଆଯାଇଛି । ହତ୍ୟାକାଣ୍ଡ ପରେ ମୃତକଙ୍କ ଦେହରେ ହତ୍ୟକାରୀ ମାନେ ଲଙ୍କା ଗୁଣ୍ଡ ଢାଳି ଦେଇଥିବା ସୁଚନା ମିଳିଛି । ମୋହନା ଥାନାରେ ଲିଖିତ ଅଭିଯୋଗ ହେବାପରେ ଘଟଣା ସ୍ଥଳକୁ ପୋଲିସ ଯାଇଛନ୍ତି । ଘଟଣା ଘଟିଥିବା ଅଞ୍ଚଳଟି ବନପାହାଡ ଘେରା ଦୁର୍ଗମ ବନାଞ୍ଚଳ ହୋଇଥିବାରୁ ମୋବାଇଲ ଯୋଗେ ପୋଲିସକୁ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ । ଘଟଣାଟି ସମ୍ପୁର୍ଣ୍ଣ ସତ୍ୟ ହୋଇଥିଲେ ସୁଦ୍ଧା ଖବର ଲେଖିବା ସମୟ ପର୍ଯ୍ୟନ୍ତ ଘଟଣା ସ୍ଥଳକୁ ଯାଇଥିବା ପୋଲିସଙ୍କ ଠାରୁ ଆହୁରି ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ । ତେବେ ସେହି ଅଞ୍ଚଳର କେତେକଙ୍କ ଠାରୁ ସୁଚନା ମିଳିଛି ଯେ,ପୋଲିସ ମୃତକ ସ୍ୱାମୀ ସ୍ତ୍ରୀଙ୍କ ଶବକୁ ଜଙ୍ଗଲ ମଧ୍ୟରୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମୋହନା ଥାନାକୁ ଆଣୁଛନ୍ତି ।


