ଗୁଣ୍ଡିଚାମନ୍ଦିର ଅଞ୍ଚଳରେ ଜବରଦଖଲକୁ ହଟାଇବା ପାଇଁ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାମନ୍ଦିର ଅଞ୍ଚଳରେ ଜବରଦଖଲ ହୋଇ ଥିବାରୁ ଏହାକୁ ହଟାଇବା ପାଇଁ ରଥଯାତ୍ରା କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିବାର ଜଣାପଡିଛି । ଏ ନେଇ ପାରଳାଖେମୁଣ୍ଡି ରଥଯାତ୍ରା କମିଟି ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ଓଡିଶାର ସୁପ୍ରସିଦ୍ଧ ରଥ ଯାତ୍ରା ପାରଳାଖେମୁଣ୍ଡି ଗୁଣ୍ଡିଚାବାଡି ଠାରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ । ଏଥିନିମନ୍ତେ ଦୈନନ୍ଦିନ ଲକ୍ଷାଧିକ ଭକ୍ତ ବା ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥାଏ । ତେବେ କିଛି ସେଠାରେ ଥିବା ଗୁଣ୍ଡିଚା ବାଡି ଏବଂ ତତ୍ସଂଲଗ୍ନ ସରକାରୀ ଯାଗାକୁ ବେଆଇନ ଭାବେ ବିଭିନ୍ନ ସମୟରେ ଜବରଦଖଲ କରିଥିବାର ନଜିର ରହିଥିବାବେଳେ ଗତକାଲିଠାରୁ ଗୁଣ୍ଡିଚାବାଡି ଠାରେ ଥିବା ଏକ ଖାଲି ସ୍ଥାନ ଯେଉଁଠାରେ କି ରଥ ଯାତ୍ରା ସମୟରେ ରଥ ରହିଥାଏ ଏବଂ ତାର ସାମନାରେ ଥିବା ସ୍ଥାନରେ ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଏକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଥି ପାଇଁ ଆମ କମିଟି ପକ୍ଷରୁ କୌଣସି ଅନୁମତି ଦିଆଯାଇନାହିଁ । ଯଦି ସେଠାରେ କୌଣସି କୋଠା କିମ୍ବା ଘର ନିର୍ମାଣ କରାଯାଏ ତେବେ ଆଗାମୀ ରଥଯାତ୍ରା ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି । କାରଣ ଯାତ୍ରା ସମୟରେ ଲକ୍ଷାଧିକ ଜନସମାଗମ ହୋଇଥାଏ । ତେଣୁ ତୁରନ୍ତ ଏହି କାର୍ଯ୍ୟକୁ ବନ୍ଦ କରିବା ସହ ଗୁଣ୍ଡିଚାବାଡି ଏବଂ ତତ୍ସଂଲଗ୍ନ ସମସ୍ତ ସରକାରୀ ଜମିକୁ ସୁରକ୍ଷା ଦେବା ପାଇଁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ତଥା ରଥଯାତ୍ରା କମିଟିର ସମ୍ପାଦକଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ମାଧ୍ୟମରେ ରଥଯାତ୍ରା କମିଟିର ରାମନାଥ ମିଶ୍ର, ଟି.ଶରତ କୁମାର, ଟି.ଭି. କୁମାର, ବସନ୍ତ କୁମାର ପଣ୍ଡା, ବି.ବି. ମହାନ୍ତି, ରାମ ପ୍ରସାଦ ଆପଟ, ଦେବାଶିଷ ପାଢୀ ପ୍ରମୁଖ ନିବେଦନ କରିଛନ୍ତି ।


