ଗୃହରକ୍ଷା ବାହିନୀର ୫୯ ତମ ପ୍ରତିଷ୍ଠା ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ପୋଲିସ୍ ପଡିଆ ଠାରେ ଗଂଜାମ ପୁଲିସ ଜିଲ୍ଲା ଗୃହ ବାହିନୀ ସଂସ୍ଥା ପକ୍ଷରୁ ଗୃହରକ୍ଷୀ ବାହିନୀର ୫୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ । ନିଷ୍ଠାପର ସେବା ଦ୍ୱାରା ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ସର୍ବଦା ପ୍ରଶଂସାର ପାତ୍ର ହେବାକୁ ଗୃହରକ୍ଷୀ ମାନଙ୍କୁ ଏସପି ଶ୍ରୀ ରଏ ଆହ୍ୱାନ ଦେଇଥିଲେ । ଗୃହରକ୍ଷୀ ମାନେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ମରୁଡି ଠାରୁ ଆରମ୍ଭ କରି ଆଇନ୍ ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ ଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି । ସେହିପରି କରୋନା ମହାମାରୀ ସମୟରେ ଗୃହରକ୍ଷୀ ମାନେ ନିଜ ଜୀବନକୁ ପାଣି ଛଡାଇ ଜନସାଧାରଣ ମାନଙ୍କ ସେବା କରିଆସିଛନ୍ତି ବୋଲି ମଧ୍ୟ ଏସପି କହିଛନ୍ତି । ଏହି ଅବସରରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ, ଓଡିଶାର ମହାମହିମ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥିବା ସନ୍ଦେଶବାର୍ତ୍ତାକୁ ଶୁଣାଇଥିଲେ ଏସପି । କାର୍ଯ୍ୟକ୍ରମ ଶେଷରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଛତ୍ରପୁର ପୋଲିସ୍ ସବ ଡିଭିଜନର ୧୨ ଜଣ, ଭଞ୍ଜନଗର ପୋଲିସ୍ ସବ ଡିଭିଜନ୍ ର ୧୧ ଜଣ, ପୁରୁଷୋତ୍ତମପୁର ପୋଲିସ୍ ସବ ଡିଭିଜନ୍ ର ୫ ଜଣ ଓ ଆସିକା ପୋଲିସ୍ ଡିଭିଜନ୍ ର ୧୪ ଜଣ ଗୃହରକ୍ଷୀଙ୍କୁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ, ପି.କେ.ଦଳାଇ ଓ ରମେଶ ଚନ୍ଦ୍ର ସେଠୀ, ଡିଏସପି ସୀମା ସ୍ୱାଇଁ, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଡିଏସପି ଏସ୍. ପ୍ରଧାନ, ଅଜୟ କୁମାର ମିଶ୍ର ଓ ମମତା ନାୟକ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟମାନଓ ରଞ୍ଜନ ମହାନ୍ତି, ସର୍ଜେଣ୍ଟ ସଞ୍ଜୟ କୁମାର ବାରିକ, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଏ.ରାବଣା ରାଓ, ଗଞ୍ଜାମ ପୋଲିସ୍ ଜିଲ୍ଲା ହାବିଲଦାର ଓ କନେଷ୍ଟବଲ ସଂଘର ସଭାପତି ଅଭିମନ୍ୟୁ ଜାଲି, ସମ୍ପାଦକ ସୁବାସ ସେଠୀଙ୍କ ସମେତ ବହୁ ପୋଲିସ୍ ଅଧିକାରୀ ଓ ଗୃହ ରକ୍ଷୀ ବାହିନୀମାନେ ଉପସ୍ଥିତ ଥିଲେ ।


