ଚାଷୀଙ୍କ ବର୍ଷକର ଖାଦ୍ୟ ଓ ଆୟ ଖାଇଦେଲା “ଜୱାଦ”

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାରେ ବାତ୍ୟା ଭୟ ଦୂର ହୋଇଥିଲେ ମଧ୍ୟ ଚାଷୀମାନଙ୍କର ସାରା ବର୍ଷର ଖାଦ୍ୟ ଓ ଆୟ ଖାଇଦେଇଛି “ଜୱାଦ” ବର୍ଷା। ବିଶେଷ କ୍ଷତି ହୋଇଛି ଚାଷୀମାନଙ୍କ ପାଚିଲା ଧାନ ଫସଲ। ପାଚିଲା ଧାନ କ୍ଷେତରେ ପଡି ଲହଡି ମାରୁଛି ବର୍ଷା ପାଣି। ଜମିରେ ପଚି ନଷ୍ଟ ହେବାକୁ ବସିଲାଣି ପାଚିଲା ଧାନ ଫସଲ। ମୁଣ୍ଡରେ ହାତଦେଇ ଚିନ୍ତାରେ ଲୁହ ଗଡାଉଛି ଚାଷୀ। କିପରି ଶୁଝିବି କୃଷି ଋଣ ? ବର୍ଷ ସାରା ଖାଇବ କଣ ? ଗୃହପାଳିତ ପଶୁମାନଙ୍କ ଖାଦ୍ୟ ପାଳ, କୁଣ୍ଡା ପାଇବ କିପରି ? ଅନ୍ନଦାତା ଅନ୍ନ ମୁଠାଏ ଖାଇବା ପାଇଁ ଦାଦନ ଖଟି ଯିବାକୁ ଚିନ୍ତା କରୁଥିବା ବେଳେ ସରକାରୀ ସାହାଯ୍ୟ ଏକମାତ୍ର ଭରଷା। ପୋଲସରା ଓ ବୁଗୁଡା ବ୍ଲକରେ ଗତ ଲଘୁଚାପଜନିତ ବର୍ଷାରେ ବହୁ ପରିମାଣର ପାଚିଲା ଧାନ ଫସଲ ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ଜୱାଦ ବାତ୍ୟା ଭୟ ଦୂର ହୋଇଥିଲେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ପାଚିଲା ଧାନ କ୍ଷେତରେ ପଡି ଧାନ ଫସଲ ଉପରେ ଲହଡି ମାରୁଛି ଜମିଥିବା ବର୍ଷା ଜଳ। ଡିସେମ୍ବର ୫ ତାରିଖ ଦିନ ବୁଗୁଡା ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ଓ କର୍ମଚାରୀ ବୃନ୍ଦ ବୁଗୁଡା ବ୍ଲକର ଶଙ୍କରୁ, ଖୋଳଖାଳି, ମୋଟାବାଡ଼ି, ପାଙ୍ଗିଡ଼ି ଓ ବାଲିପଦର ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଯାଇ କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି। ଖୋଳଖାଳି ଚାଷୀମାନେ କ୍ଷୟକ୍ଷତି ପୂରଣ ପାଇଁ ବୁଗୁଡା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ଆଦିପୁର ଗ୍ରାମର ଚାଷୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ସେହିପରି ପୋଲସରା ବ୍ଲକରେ ଗତ ଲଘୁଚାପଜନିତ ବର୍ଷାରେ ଧନେଇ ଘାଇର ତଳ ମୁଣ୍ଡରେ ଚାଷୀଙ୍କ ବ୍ୟାପକ ଧାନ ଫସଲ କ୍ଷତି ହୋଇଥିବା ବେଳେ ଅଳ୍ପ ଦିନର ବ୍ୟବଧାନରେ ଜୱାଦ ବାତ୍ୟାର ଲଗାଣ ବର୍ଷା ଯୋଗୁଁ ପାଚିଲା ଧାନ ଫସଲ ଜଲମଗ୍ନ ରହି ପଚିବାକୁ ବସିଲାଣି। ବାତ୍ୟା ଭୟରେ ଜମିରୁ ଯେଉଁ ଧାନ କାଟି ଗଦା କରିଛନ୍ତି ତାହା ଗମୀବା ଆରମ୍ଭ ହେଲାଣି। ବର୍ଷା ଛାଡିଲେବି ତାହା ଅମଳ କରି ବିକ୍ରି କରିବାକୁ ନେଲେ ଧାନମଣ୍ଡି ତାହା ଗ୍ରହଣ କରିବ ନାହିଁ। ଚାଷୀଙ୍କ ଧାନ ଫସଲ ବ୍ୟାପକ ଭାବେ କ୍ଷତି ଘଟି ନିରାଶ ହୋଇଥିବା ବେଳେ ସରକାରୀ ସାହାଯ୍ୟ ଏକମାତ୍ର ଭରଷା ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ