ଗୋପାଳପୁର ବନ୍ଦରକୁ ମାଲ ପରିବହନ କରୁଥିବା ଟ୍ରକ୍ ଡ୍ରାଇଭରଙ୍କୁ ମାଡ ମାରିବା ଓ ଦାଦାବଟି ଆଦାୟ ଅଭିଯୋଗରେ ୧୦ ଗିରଫ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଗୋପାଳପୁର ବନ୍ଦରକୁ ମାଲ ପରିବହନ ପାଇଁ ଯାତାୟତ କରୁଥିବା ମାଲବାହୀ ଟ୍ରକ୍ ଗୁଡିକର ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରି ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ୧୦ଜଣ ଅଭିଯୁକ୍ତଙ୍କୁ ଚମାଖଣ୍ଡି ଥାନା ପୁଲିସ ଗିରଫ କରିଛି । ଏହି ଘଟଣାରେ ସଂପୃକ୍ତ ଥିବା ଆହୁରୀ ପ୍ରାୟ ୨୦ ଜଣ ଅଭିଯୁକ୍ତ ଫେରାର ଥିବାବେଳେ ପୁଲିସ ସେମାନଙ୍କୁ ଧରିବା ପାଇଁ ଜୋରଦାର ଚେଷ୍ଟା ଚଳାଇଛି । ପ୍ରାୟ ଏକବର୍ଷ ଧରି ଏହି ଅଭିଯୁକ୍ତମାନେ ଏଭଳି ଘଟଣାରେ ସଂପୃକ୍ତି ଥିବା ନେଇ ଜଣାପଡିଛି । ଜୀବନ ବିକଳରେ ମାଲବାହୀ କରୁଥିବା କୌଣସି ଟ୍ରକ୍‌ର ଡ୍ରାଇଭରଙ୍କ ଅଭିଯୋଗ ନଥିବା ଯୋଗୁଁ ପୁଲିସ ନିକଟରେ ଘଟଣା ପହଞ୍ଚି ପାରୁନଥିଲା । ଗତକିଛି ଦିନହେଲା ଅଭିଯୁକ୍ତମାନେ ପ୍ରାୟ କେତେକ ଟ୍ରକ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରିବା ସହ ସେମାନଙ୍କ ଠାରୁ ଜୋରଜବରଦସ୍ତ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତାଙ୍କ ନିର୍ଦ୍ଦେଶ କ୍ରମେ ସେକେଣ୍ଡ ଅଫିସର ବିକାଶ କୁମାର ସାମଲଙ୍କ ନେତୃତ୍ୱରେ ଦାଦାବଟି ଆଦାୟ ସମୟରେ ଅଭିଯୁକ୍ତମାନଙ୍କ ଉପରେ ଚଢଉ କରି ୧୦ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ ବାକି ଅଭିଯୁକ୍ତମାନେ ଫେରାର ହୋଇଥିଲେ । ଚମାଖଣ୍ଡି ଥାନା ପକ୍ଷରୁ ୧୦୧ ନମ୍ବର ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲଣ କରାଯାଇଥିବା ଚମାଖଣ୍ଡି ପୁଲିସ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ