ଗୋ ମାଂସ କଟାକୁ ନେଇ ଉତ୍ତେଜନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ବେବିରିନୂଆ ସାହି ଠାରେ ଗାଇ ମାଂସ କଟାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ବେବିରି ଗ୍ରାମରେ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ କୌଣସି ଏକ ପର୍ବ ପାଳନ ପାଇଁ ଭୋଜି ଭାତର ଆୟୋଜନ କରୁଥିଲେ । ସେଥିପାଇଁ କିଛି ଗୋରୁଗାଇକୁ କଟାଯାଇଥିଲା । ଏହି ଗୋରୁଗାଇ ମାଂସକୁ ନେଇ ଭୋଜିଭାତ ଆୟୋଜନ ହେଉଥିବାର ଖବର ପାଇ ଅଡବା ଗ୍ରାମର ଯୁବ ଗୋଷ୍ଠୀ ଘଟଣା ସ୍ଥଳରେ ପହଂଚି ଗୋରୁଗାଇ କଟାକୁ ବିରୋଧ କରିଥିଲେ । କିନ୍ତୁ ଓଲଟା ହରିଜନ ସାହିର ମହିଳାମାନେ ଏହାର ପ୍ରତିବାଦ କରିଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଗଣ୍ଡଗୋଳ ହୋଇଥିଲା । ଘଟଣା ସ୍ଥଳରେ ଦୁଇ ଗୋଷ୍ଠୀଙ୍କ ବାଦବିବାଦ ଲାଗି ଥିବା ବେଳେ ଘଟଣାର ଖବର ପାଇ ଅଡବା ପୋଲିସ ପହଂଚି ଥିଲେ । ଘଟଣା ନେଇ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି,ଦୁଇ ଗୋଷ୍ଠୀଙ୍କ ବାଦବିବାଦ ଖବର ପାଇ ଶାନ୍ତିଶୃଙ୍ଖଳା ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିଲେ । ହେଲେ ସେତେବେଳେ ସେଠାରେ କୌଣସି ବାଦବିବାଦ ଦେଖା ଦେଇ ନଥିଲା । ଗୋ ମାଂସ କଟା ନେଇ ମଧ୍ୟ କୌଣସି ଭାବେ ଦେଖା ଯାଇ ନଥିଲା । ଏହିଘଟଣା ନେଇ ବର୍ତ୍ତମାନ ସୁଦ୍ଦା କୌଣସି ଅଭିଯୋଗ ମଧ୍ୟ କେହି କରି ନାହାଁନ୍ତି ।


