ଗ୍ରୀଷ୍ମକାଳୀନ କ୍ରୀଡ଼ା ପ୍ରଶିକ୍ଷଣ ଶିବିର ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ଯୁବ କ୍ରୀଡ଼ା ବିଭାଗ ସହାୟତାରେ ତଥା ଜିଲା କ୍ରୀଡ଼ା ବିଭାଗ ଓ ପ୍ରଶାସନର ମିଳିତ ସହଯୋଗରେ ଗତ ୧ ତାରିଖରୁ ଜିଲା ଛାତ୍ରାବାସରେ ଚାଲିଥିବା ଗ୍ରୀଷ୍ମକାଳୀନ କ୍ରୀଡ଼ା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ସହର ଉପକଣ୍ଠ ଭୀମପୁରା ଛାତ୍ରାବାସରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ସୁଚାରୁ ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ କ୍ରୀଡ଼ା ପ୍ରତିଭା ବିକାଶରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା କ୍ରୀଡ଼ା ସଂଘ ସମ୍ପାଦକ ଅଧୀପ ଦାସ, ଯୁଗ୍ମ ସମ୍ପାଦକ ବୀରେନ୍ଦ୍ର ସ୍ୱାଇଁ, ଅବସପ୍ରାପ୍ତ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ ଦାସ, ବରିଷ୍ଠ ଖେଳ ଶିକ୍ଷକ ଚିତ୍ତରଂଜନ ପାଶା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାଗ୍ରହଣ ସାଙ୍ଗକୁ ଖେଳକୁଦର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଶିବିରାର୍ଥୀଙ୍କୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଏହି ଉଦଯାପନୀ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବା ସହିତ ଗ୍ରୀଷ୍ମକାଳୀନ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଫୁଟବଲ, ଖୋ ଖୋ ଓ ଭଲିବଲ ପ୍ରଭୃତି ବିଭାଗରେ ଉଭୟ ଆବାସିକ ଓ ଅଣଆବାସିକ ବର୍ଗର ୭୦ ଜଣ ଛାତ୍ରଛାତ୍ରୀ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ ।


