ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :-ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଏବଂ ଅଂଶୁଘାତ ଜନିତ ସମସ୍ୟାର ମୁକାବିଲା ପାଇଁ ଆଜି ସକାଳ ୯ଘଟିକା ସମୟରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଓସୱାନ ହଲରେ ଅନୁଷ୍ଠିତ ଏହି ଆଭାସୀ ବୈଠକରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ଦୀପ୍ତିରଞ୍ଜନ ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଦୁଲାଳସେନ ଜଗଦ୍ଦେବ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକର ବିଡିଓ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇ ଗ୍ରୀଷ୍ମପ୍ରବାହ ଏବଂ ଅଂଶୁଘାତ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବୈଠକରେ କାର୍ଯ୍ୟସୂଚୀ ଅନୁଯାୟୀ ପାନୀୟ ଜଳ ସମସ୍ୟା, ଅଂଶୁଘାତ ରୋଗୀଙ୍କ ଆଶୁ ଚିକିତ୍ସା, ବିଦ୍ୟୁତ୍ କାଟ ଜନିତ ସମସ୍ୟା, ପାନୀୟଜଳ ସେବା କେନ୍ଦ୍ର ଖୋଲିବା, ଗୃହପାଳିତ ପଶୁ ଓ ବନ୍ୟଜନ୍ତୁଙ୍କୁ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିବା, ଅଙ୍ଗନବାଡି, ବିଦ୍ୟାଳୟ ଓ ମହାବିଦ୍ୟାଳୟର ସୁପରିଚାଳନା, ଶ୍ରମିକମାନଙ୍କ କାର୍ଯ୍ୟ ଓ ଯାତ୍ରୀ ପରିବହନ ପାଇଁଁ ସମୟ ନିର୍ଦ୍ଧାରଣ ଇତ୍ୟାଦି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଗ୍ରୀଷ୍ମପ୍ରବାହରେ ଯେପରି ଜନସାଧାରଣ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ଗ୍ରାମ୍ୟ ଜଳଯୋଗାଣ, ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପରିବହନ ବିଭାଗ, ରାଜସ୍ୱ ବିଭାଗ, ଜରୁରୀକାଳୀନ ବିଭାଗ, ବିଦ୍ୟୁତ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ ବ୍ୟତୀତ ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆସନ୍ତା ମାର୍ଚ୍ଚ ୧୫ତାରିଖ ସୁଦ୍ଧା ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ,ପ୍ରତି ବ୍ଲକ, ତହସିଲ ଓ ଜିଲ୍ଲାର ବିଭିନ୍ନ ବିଭାଗ ଓ କ୍ଷେତ୍ର କର୍ମଚାରୀଙ୍କ କକ୍ଷରେ ୨୪ଘଂଟିଆ ଜରୁରୀ ନିୟନ୍ତ୍ରଣ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ନଳକୂପ ଓ ଷ୍ଟାଣ୍ଡପୋଷ୍ଟ ଯେପରି ଠିକ୍ ଭାବେ କାମ କରିବ ସେଥିପାଇଁ ପଦକ୍ଷେପ ନେବା ସହିତ ଏ ସମ୍ପର୍କିତ ରିପୋର୍ଟ ନିୟମିତ ପ୍ରଦାନ ନିମନ୍ତେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ରୌଦ୍ରତାପ ଯୋଗୁଁ ଯାନବାହାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଯେପରି ଅଂଶୁଘାତର ଶିକାର ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଆଂଚଳିକ ପରିବହନ ଅଧିକାରୀଙ୍କୁ କୁହାଯାଇଛି । ବସଗୁଡିକରେ ପିଇବା ପାଣି ଏବଂ ଓଆରଏସ ପ୍ୟାକେଟ ରଖିବା ସହିତ ବିଭିନ୍ନ ବସଷ୍ଟାଣ୍ଡରେ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ଆରଟିଓ ପଦକ୍ଷେପ ନେବେ । ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଂଶୁଘାତ ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଔଷଧ, ଓଆରଏସ,ବରଫ ଇତ୍ୟାଦି ମହଜୁଦ ରଖାଯିବ । ସେଠାରେ ଏସି ଏବଂ ଇନଭର୍ଟର ସୁବିଧା ମଧ୍ୟ ଉପଲବଧ କରାଇବାକୁ କୁହାଯାଇଛି । ଅଙ୍ଗନୱାଡି ଓ ଆଶାକର୍ମୀମାନଙ୍କୁ ଆଗୁଆ ଭାବେ ଓଆରଏସ ପ୍ୟାକେଟ ବିତରଣ କରାଯିବ । ଖରାଦିନେ ଜଳକ୍ଲିଷ୍ଟ ସ୍ଥାନଗୁଡିକରେ ବାଟୋଇ, ଯାତ୍ରୀ ତଥା ସାଧାରଣ ଜନତାଙ୍କ ତୃଷା ନିବାରଣ ନିମନ୍ତେ ପାନୀୟ ଜଳ ସେବା କେନ୍ଦ୍ର ସ୍ଥାପନ କରିବାକୁ ଜିଲ୍ଲାପାଳ କହିଛନ୍ତି । ଅନାବଶ୍ୟକ ଭାବେ ବହୁ ପରିମାଣରେ ଏହା ନ ଖୋଲି ଆବଶ୍ୟକ ମୁତାବକ ଏହା ସ୍ଥାପନ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ବ୍ଲକ ଓ ପଂଚାୟତରେ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ନେଇ ଗ୍ରୀଷ୍ମପ୍ରବାହ ମୁକାବିଲା ସମ୍ପର୍କରେ ବୈଠକ କରିବାକୁ ଏଥିରେ ପରାମର୍ଶ ଦିଆଯାଇଥିଲା । ବିଜୁଳି ଯୋଗାଣ ଯେପରି ସ୍ୱାଭାବିକ ଭାବେ ଜାରି ରହିବ ତାହା ସୁନିଶ୍ଚିତ କରିବା ଏବଂ ଲୋ ଭୋଲଟେଜ ସମସ୍ୟାକୁ ହ୍ରାସ କରିବା ଦିଗରେ ପଦକ୍ଷେପ ନେବାକୁ ଟିପିଏନଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କୁହାଯାଇଥିଲା । ଗାଈ, ଗୋରୁ ତଥା ଅନ୍ୟାନ୍ୟ ଗୃହପାଳିତ ପଶୁପକ୍ଷୀମାନଙ୍କ ପାଇଁ ନଳକୂପଗୁଡିକ ନିକଟରେ ଜଳ ସଂରକ୍ଷଣ ବନ୍ଦୋବସ୍ତ କରିବାକୁ କୁହାଯାଇଛି । ସରକାରୀ ନିର୍ଦ୍ଦେଶ ପ୍ରକାରେ ସ୍କୁଲ, କଲେଜ ନିର୍ଦ୍ଧାରିତ ସମୟରେ ଖୋଲିବା, ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ପାଣି ବୋତଲ ଆଣିବାକୁ ସଚେତନ କରାଇବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ସର୍ବାଧିକ ରହୁଥିବାରୁ ଏହି ସମୟରେ ଶ୍ରମିକମାନଙ୍କୁ ନିର୍ମାଣ କାର୍ଯ୍ୟ ପାଇଁ ବାରଣ କରାଯିବ । ଏଥି ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ପଦକ୍ଷେପ ନେବେ । ଏଥି ସହିତ କାର୍ଯ୍ୟସ୍ଥଳୀରେ ପାନୀୟ ଜଳର ସୁବିଧା, ବିଶ୍ରାମସ୍ଥଳୀ ଓ ଫ୍ୟାନର ବ୍ୟବସ୍ଥା କରିବାକୁ କୁହାଯାଇଛି । ଅଂଶୁଘାତ ମୃତ୍ୟୁ ଘଟଣାର ତଦନ୍ତ ଯୁଗ୍ମ ଭାବେ ତହସିଲଦାର ଓ ମେଡିକାଲ ଅଫିସରଙ୍କ ଦ୍ୱାରା କରାଯାଇ ତାହାର ଅନୁସନ୍ଧାନ ରିପୋର୍ଟ ଜିଲ୍ଲାପାଳଙ୍କୁ ୨୪ ଘଂଟା ମଧ୍ୟରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଂଶୁଘାତରୁ ରକ୍ଷା ପାଇଁ କଣ କରିବା ଏବଂ ନ କରିବା ଉଚିତ ସେ ସମ୍ପର୍କରେ ପୋଷ୍ଟର ଓ ସ୍ୱାସ୍ଥ୍ୟ କାନ୍ଥ ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଅଗ୍ନିଶମ ବିଭାଗକୁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆବଶ୍ୟକସ୍ଥଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସହାୟତା ନେବା ପାଇଁ ପରାମର୍ଶ ଦିଆଯାଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ, ଓସଡାମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଅବନୀକାନ୍ତ ଭୂୟାଁ, ୟୁନିସେଫ ଜିଲ୍ଲା ସଂଯୋଜକ ଶ୍ରୀ ପ୍ରଦୀପ କୁମାର ପାତ୍ର ଉପସ୍ଥିତ ରହି ଗ୍ରୀଷ୍ମପ୍ରବାହ ମୁକାବିଲା ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।


