‘ଚକା ଜାମ୍‌’: ଦିଲ୍ଲୀର ମେଟ୍ରୋ ଷ୍ଟେସନଗୁଡ଼ିକ‌ରେ ହାଇ ଆର୍ଲଟ ଜାରି,ଲାଲ୍ କିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ

ନୂଆଦିଲ୍ଲୀ: ନୂତନ କୃଷି ଆଇନ୍‌କୁ ବିରୋଧ କରି ଆଜି ଦେଶବ୍ୟାପୀ ‘ଚକା ଜାମ୍‌’ ହେଉଥିବା ବେଳେ ଦିଲ୍ଲୀର ମେଟ୍ରୋ ଷ୍ଟେସନଗୁଡ଼ିକ‌ରେ ହାଇ ଆର୍ଲଟ ଜାରି କରାଯାଇଛି। ଏଥିସହ ଲାଲ୍ କିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦିଲ୍ଲୀ ପୁଲିସ୍‌ ଚିଠି ଲେଖି ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌(ଡିଏମ୍‌ଆର୍‌ସି)କୁ ଆବଶ୍ୟକ ପଡ଼ିଲେ ପ୍ରାୟ ୧୨ଟି ମେଟ୍ରୋ ଷ୍ଟେସନ୍‌‌କୁ ସଟ୍‌ଡାଉନ୍‌ କରିବାକୁ ପ୍ରସ୍ତୁତ ରହିବାକୁ କହିଛି। ନୂଆଦିଲ୍ଲୀର ଡିସିପି ଡିଏମ୍‌ଆର୍‌ସିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଡିସିପି କହିଛନ୍ତି ଯେ ଆଇନ ଶୃଙ୍ଖଳା ପରିସ୍ଥିତି ତଥା ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ମେଟ୍ରୋ କର୍ମଚାରୀମାନେ ପ୍ରସ୍ତୁତ ରହିବା ଉଚିତ। ଏପଟେ ଭାରତୀୟ କିସାନ ୟୁନିୟନ (ବିକେୟୁ) ର ଅଧ୍ୟକ୍ଷ ରାକେଶ ଟିକାୟତ ମଧ୍ୟାହ୍ନ ୧୨ଟୁ ଅପରାହ୍ନ ୩ଟା ମଧ୍ୟ‌ରେ ‌ହେବକୁ ଥିବା ତିନି ଘଣ୍ଟିଆ ‘ଚକା ଜାମ’ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବ ନାହିଁ ବୋଲି କହିଛନ୍ତି। ପରିସ୍ଥତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଗାଜିପୁର ସୀମାରେ ପାଣିମାଡ଼ କରିବାକୁ ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଛି। ଏହାବ୍ୟତୀତ ଶନିବାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ଦିଲ୍ଲୀ ପୁଲିସ୍, ପାରାମିଲିଟାରୀ ଏବଂ ରିଜର୍ଭ ଫୋର୍ସର ପ୍ରାୟ ୫୦ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କର ନୂତନ ୩ଟି କୃଷି ଆଇନ୍‌କୁ ବିରୋଧ କରି ଗତ ନଭେମ୍ବର ମାସରୁ କୃଷକମାନେ ଜାତୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରି ଆସୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ