ପ୍ରବାସୀ ଓଡ଼ିଆ ମହିଳା ମଣ୍ଡଳ ବୈଠକ
ବୁଗୁଡା ,(ଅନିଲ କୁମାର ମହାରଣା): ସୁରାଟ ମହାନଗରରେ ସାତ ଲକ୍ଷରୁ ଉର୍ଦ୍ଧ୍ବ ଓଡ଼ିଆ ବସବାସ କରୁଥିବା ବେଳେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ, ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଗଠିତ ହୋଇଛି “ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ”। ଏହି ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସମସ୍ତ ଓଡ଼ିଆମାନଙ୍କୁ ଏକତ୍ରିତ କରି ବିଭିନ୍ନ ଫ୍ୟାକ୍ଟେରୀରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ହିତ ପାଇଁ ବହୁ ପଦକ୍ଷେପ ଗ୍ରହଣ କରିବା ସହ ଓଡ଼ିଆ ମହିଳା ଓ ସେମାନଙ୍କ ପରିବାରର ଆର୍ଥିକ ଉନ୍ନତି ଓ ସ୍ୱାସ୍ଥ୍ୟ ସେବା ପାଇଁ ଅନବରତ କାର୍ଯ୍ୟକରି ଆସୁଅଛି। ଫେବୃଆରୀ ୫ ତାରିଖ ଦିନ ସୁରାଟ ମହାନଗରର ଅନ୍ତର୍ଗତ ହରିନଗରରେ ଖଦାଳ ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ ଓଡ଼ିଆ ବିଦ୍ୟାଳୟ ପରିସରରେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ମହିଳା ମଣ୍ଡଳ ବୈଠକ ଟ୍ରଷ୍ଟର ମୁଖ୍ୟ ତଥା ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶ୍ରୀ ସାହୁ ଯେଉଁ ପରିବାରର ମୁଖ୍ୟବ୍ୟକ୍ତି ବୀମା କରିନାହାଁନ୍ତି ସେହି ଓଡ଼ିଆ ଶ୍ରମିକ ବାର୍ଷିକ ମାତ୍ର ୨୦୦ ଟଙ୍କା ଦେଇ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ସୁବିଧା ଥିବା ବୀମା ଭୁକ୍ତ ହେବାକୁ ପରାମର୍ଶ ଦେଇଥିଲେ। ଏଥିସହ ଯେଉଁ ପ୍ରବାସୀ ଓଡ଼ିଆ ଭଉଣୀମାନେ ଗୁଜରାଟ ସରକାର ବିନା ସୁଧରେ ପରିଶୋଧ କରିବାକୁ ଦେଉଥିବା ଏକ ଲକ୍ଷ ଟଙ୍କାର ଋଣ ନେଇ ନାହାଁନ୍ତି ସେମାନେ ତୁରନ୍ତ ସେହି ସୁବିଧା ନେବାକୁ ଅନୁରୋଧ କରିଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ଚାରି ହଜାର ପରିବାରଙ୍କୁ ମା କାର୍ଡ଼ ଓ ରାସନ କାର୍ଡ଼ ଟ୍ରଷ୍ଟ ମାଧ୍ୟମରେ ଯୋଗାଇ ଦିଆଯାଇଥିବା ବେଳେ ଅନ୍ୟମାନେ ସେଥିପାଇଁ ଟ୍ରଷ୍ଟ ଜରୀଆରେ ଆବେଦନ କରିବାକୁ ଅନୁରୋଧ କରିଥିଲେ। ମାଆ କାର୍ଡ଼ ଦ୍ୱରା ସମସ୍ତ ରୋଗର ଚିକିତ୍ସା ମାଗଣା ହୋଇପାରିବ ବୋଲି ପ୍ରକାଶ କରିଥିଲେ। କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ପାଦକ ଜୟରାମ ଦଳାଇ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଟ୍ରଷ୍ଟର ଆଇନ ପରାମର୍ଶଦାତ୍ରୀ ଆଡଭୋକେଟ ସ୍ୱାତୀ ରାଖଣ୍ଡ , ସଙ୍ଗଠକ ଅମୂଲ୍ୟ ଭାଇ, ସରୋଜ ଭାଇ, ତ୍ରିଲୋଚନ ଭାଇ ଓ ଚିତରଞ୍ଜନ ଭାଇ ଯୋଗ ଦେଇ ସହଯୋଗ କରିଥିଲେ।


