ଚକ୍ରବ୍ୟୁହ ମଧ୍ୟରେ ପଡିରହିଛି ପ୍ରକଳ୍ପ କାର୍ଯ୍ୟର ଫାଇଲ୍: ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ମିଳୁନି ବିଲ୍ ଅର୍ଥ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଅଫିସରେ ଚକ୍ରବ୍ୟୁହ ମଧ୍ୟରେ ଫାଇଲ ଗୁଡିକ ପଡି ରହିଛି । ୨୫ ପଞ୍ଚାୟତରେ ଦୀର୍ଘ ୨ ମାସ ହେବ ବିଭିନ୍ନ ଯୋଜନାରେ ନିର୍ମର୍ାଣ ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବିଲ୍ ଅର୍ଥ ମିଳୁନଥିବାରୁ ସ୍ଥାନୀୟ ଜନପ୍ରତିନିଧି, ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପ୍ରକାଶ ଯେ, ଗତ ଜୁଲାଇ ୨ୟ ସପ୍ତାହ ସୁଦ୍ଧା ବ୍ଲକର ୨୫ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ସମେତ ବିଭିନ୍ନ ଯୋଜନାର ପ୍ରକଳ୍ପ ଗୁଡିକର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । କନିଷ୍ଠ ଯନ୍ତ୍ରୀ ମାନେ ନିଜ ନିଜ ପଞ୍ଚାୟତରେ ପ୍ରକଳ୍ପ ଗୁଡିକୁ ମେଜରମେଣ୍ଟ ପୂର୍ବକ ବିଲ୍ ପ୍ରସ୍ତୁତ କରି ବ୍ଲକରେ ଫାଇଲ ଦାଖଲ କରିଥିଲେ । ଜୁଲାଇ ୩ୟ ସପ୍ତାହ ସୁଦ୍ଧା ନିର୍ମାଣ ସରିଥିବା ସମସ୍ତ ପ୍ରକଳ୍ପ ଗୁଡିକର ଫାଇଲ୍ ଦାଖଲ ହୋଇଥିଲେ ମଧ୍ୟ ସହକାରୀ ଯନ୍ତ୍ରୀ ଜାଣିଶୁଣି ସମସ୍ତ ଫାଇଲ ଗୁଡିକରେ ଦସ୍ତଖତ କରିନଥିଲେ । ଏହାରି ମଧ୍ୟରେ ପୂର୍ବତନ ବିଡିଓଙ୍କର ପଦୋନ୍ନତି ହେବାରୁ ସେ ଜୁଲାଇ ୨୨ରେ ରିଲିଭ୍ ହୋଇଯିବା ପରେ ସହକାରୀ ଯନ୍ତ୍ରୀ ଦାଖଲ ହୋଇଥିବା ଫାଇଲ ଗୁଡିକରେ ଦସ୍ତଖତ କରିଥିଲେ । ପରେ ଜୁଲାଇ ୨୬ରେ ନୂତନ ବିଡିଓ ବ୍ଲକର କାର୍ଯ୍ୟଭାର ଗ୍ରହଣ କଲେ । ନୂତନ ବିଡିଓଙ୍କ କାର୍ଯ୍ୟଭାର ଗ୍ରହଣର ୨୭ ଦିନ ବିତିବାକୁ ବସିଥିବା ବେଳେ ସେ କୌଣସି ଫାଇଲରେ ଦସ୍ତଖତ କରୁନାହାନ୍ତି । ୨୫ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଠାରୁ ବିଭିନ୍ନ ଯୋଜନାରେ ନିର୍ମାଣ କାର୍ଯ୍ୟ ସରିଥିବା ପ୍ରକଳ୍ପ ଗୁଡିକର ଫାଇଲ ବିଡିଓଙ୍କ ଟେବୁଲ ଉପରେ ପଡି ରହିଛି । ଦୀର୍ଘ ୨ ମାସ ପୂର୍ବେ ନିର୍ମାଣ କାର୍ଯ୍ୟ ସାରିଥିବା ହିତାଧିକାରୀ ମାନେ ବିଲ୍ ଅର୍ଥ ନପାଇ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଧାରକରଜ କରି ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟ ସାରିଥିଲେ ମଧ୍ୟ ସେମାନଙ୍କୁ ବିଲ୍ ଅର୍ଥ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏସଂପର୍କରେ ୨୫ ପଞ୍ଚାୟତର ଜନପ୍ରତିନିଧି ମାନେ ବିଡିଓଙ୍କୁ ଅଭିଯୋଗ କରିବା ପରେ ଗତ କିଛି ଦିନ ହେବ ବିଡିଓ ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରି ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ତଦାରଖ କରିଛନ୍ତି । ତଦାରଖ କାର୍ଯ୍ୟ ସରିଥିଲେ ମଧ୍ୟ ସଂପୃକ୍ତ ପଞ୍ଚାୟତର ବିଲ୍ ହୋଇନଥିବା ଜନପ୍ରତିନିଧି ମାନେ କହିଛନ୍ତି । ଅପରପକ୍ଷେ କୌଣସି କାର୍ଯ୍ୟରେ ସାଧାରଣଲୋକଙ୍କ ଠାରୁ ଗଣମାଧ୍ୟମର ପ୍ରତିନିଧି ପର୍ଯ୍ୟନ୍ତ ବିଡିଓଙ୍କୁ ଫୋନ୍ କରୁଥିଲେ ମଧ୍ୟ ସେ ଫୋନ୍ ଉଠାଉନଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହୋଇଛି ।


