ଚନ୍ଦନକାଠ ଚୋର ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତିରେ ଚନ୍ଦନ କାଠର ଚୋରା ଚାଲାଣ ର‌୍ୟାକେଟ ପୁଣି ସକ୍ରିୟ ହୋଇ ଉଠିଛି । ଏମାନେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚନ୍ଦନକାଠକୁ କାଟି ରାଜ୍ୟ ଓ ରାଜ୍ୟ ବାହାରକୁ ଚୋରା ଚାଲାଣ କରୁଛନ୍ତି । ଏଭଳି ଭାବେ ଚନ୍ଦନକାଠକୁ ଚୋରାଚାଲାଣ କରୁଥିବା ର‌୍ୟାକେଟର ୮ଜଣଙ୍କୁ ପୋଲିସ ଗିରଫ କରିବା ସହ ଚନ୍ଦନକାଠ ଚୋରା ଚାଲାଣକୁ ରୋକିପାରିଛି । ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ତରଫରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ଆର.ଉଦୟଗିରି ଥାନାର କୁଆଁପଡା ଗ୍ରାମର ଆଦିକନ୍ଦ ପାଇକଙ୍କ ଘର ପଛପଟେ ଥିବା ଏକ ଚନ୍ଦନ ଗଛକୁ ଗତକିଛି ଦିନ ତଳେ ଅଜଣା ଦୁବୃତ୍ତ କାଟି ନେଇଥିଲେ । ଆର.ଉଦୟଗିରି ଥାନାରେ ଏଥିନେଇ ଆଦିକନ୍ଦ ଗତ ୨୨ ତାରିଖରେ ଅଭିଯୋଗ କରିବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା । ଏଥିରେ ପୋଲିସ ୫ ଜଣଙ୍କୁ ଯଥା ସୁବୋଧ ନାୟକ,ବିନୋଦ ନାୟକ,ପ୍ରସନ୍ନ ନାୟକ,ହେମନ୍ତ ନାୟକ ଓ ଲକ୍ଷ୍ମୀକାନ୍ତ ମାଳୀକୁ ଗିରଫ କରିବା ସହ ଚୋରୀ ହୋଇଥିବା ଚନ୍ଦନ କାଠକୁ ଉଦ୍ଧାର କରିଛନ୍ତି । ଏହି ୫ଜଣ ଚୋର ଗଜପତି ଜିଲ୍ଲାର ମୋହନା ଥାନାର ବାଲିପଙ୍କା ଗ୍ରାମର ବୋଲି ପୋଲିସ ସୂଚନା ଦେଇଛି । ଏମାନେ ଏଥିପୂର୍ବରୁ ଆର.ଉଦୟଗିରି କୋର୍ଟ ପରିସରରୁ ଏକ ଚନ୍ଦନ ଗଛକୁ ଚୋରି କରିଥିଲେ । ଏହି ୫ଜଣଙ୍କୁ ପୋଲିସ ଗତକାଲି ଆର.ଉଦୟଗିରି କୋର୍ଟକୁ ଚାଲାଣ କରିଛି । ମାନ୍ୟବର କୋର୍ଟ ଉକ୍ତ ୫ଜଣଙ୍କୁ ଆର.ଉଦୟଗିରି ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡିଛି । ସେହିପରି ଅନ୍ୟ ଏକ ଘଟଣାରେ ପୋଲିସ ଆଉ ୩ଜଣଙ୍କୁ ଗିରଫ କରିଛି । ଗତ ଗୁରୁବାର ରାତ୍ରରେ ପାରଳାଖେମୁଣ୍ଡି ଠାରୁ ମାତ୍ର ୧୦କିମି ଦୁରରେ ଥିବା ଆନ୍ଧ୍ରର ମେଳିଆପୁଟ ପୋଲିସ ରାତ୍ରବେଳେ ଯାଞ୍ଚ କରୁଥିବା ବେଳେ ଏକ କାରରୁ ୪ଗୋଟି ରକ୍ତ ଚନ୍ଦନ ଗଣ୍ଡି ଜବତ କରିଥିଲେ । ଏହି ରକ୍ତ ଚନ୍ଦନ ଗଣ୍ଡି ଗୁଡିକ ଗଜପତି ଜିଲ୍ଲାର ଲାବଣ୍ୟଗଡ ରକ୍ତ ଚନ୍ଦନ ବନରୁ ବିଶାଖପାଟଣାକୁ କାର ଯୋଗେ ନେଇ ସେଠାରୁ ଦିଲ୍ଲୀକୁ ଚାଲାଣ କରିବା ପାଇଁ ଯୋଜନା କରିଥିବା ଜଣାଯାଇଛି । ଏହି ଘଟଣାରେ ଆନ୍ଧ୍ର ପୋଲିସ ୩ଜଣଙ୍କୁ ଗିରଫ କରିବା ସହ କାରକୁ ମଧ୍ୟ ଜବତ କରିଛି । ଗିରଫ ୩ଜଣ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ଶ୍ରୀନିବାସ ରାଓ ଓ ଅନ୍ୟ ୨ଜଣ ହେଲେ ପାରଳାଖେମୁଣ୍ଡିର କେ.ପାଣି ଓ ଏସ.ସାଲିମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ