ଚନ୍ଦନ ଚାପ ସେବା

ଆସ ହେ ଭକ୍ତ ଆସ
ଚାପ ଦେଖିବ ଆସ ହେ ।।ଘୋଷା।।

ଗ୍ରୀଷ୍ମେ ବଇଶାଖ ଅତିବ ତପତ
ଶ୍ରୀଅଙ୍ଗକୁ ବାଧା ହୁଏ ବହୁତ
ଶ୍ରୀଅଙ୍ଗ ଶୀତଳ ଶ୍ରୀଜିଉ କରିବେ
କରୀନ୍ଦ୍ର ପଲଙ୍କ ତେଜି ନରେନ୍ଦ୍ର।

ନରେନ୍ଦ୍ର ସରରେ ମଦନମୋହନ
ଭୂଦେବୀ ଶ୍ରୀଦେବୀ ଶ୍ରୀରାମ କୃଷ୍ଣ
ସଙ୍ଗତେ ଅଛନ୍ତି ଶ୍ରୀ ପଞ୍ଚସାଗର
ଚାପରେ ନରେନ୍ଦ୍ର ସର କମ୍ପନ।

ଖୁଣ୍ଟିଆ ସିଂହାରୀ ସାଥେ ଗରାବଡୁ
ସେବା କରୁଥାନ୍ତି ସିଆରବଡୁ
ହଡ଼ପ ଆବର ପୂଜାପଣ୍ଡା ସାଥେ
ଦଶଦେବ ସେବନ୍ତି ପତ୍ରୀବଡୁ ।

ରୂପା ପିଙ୍ଗଣରେ ସୁବାସିତ ଜଳ
ଚଳନ୍ତି ପ୍ରତିମା ପଦ ପ୍ରଖାଳ
ନନ୍ଦ୍ରା ଭଦ୍ରା ଚାପ ଡଙ୍ଗାପରେ ବସି
ରଚିବେ ନରେନ୍ଦ୍ରରେ ଚାପ ଖେଳ ।

ଚାପଖେଳ ସାରି ତିନି କୁଣ୍ଡେ ସ୍ନାନ
ଜଳେ ମିଶିଛି କର୍ପୂର ଚନ୍ଦନ
ଜୁଇ ଚମ୍ପା ମଲ୍ଲୀ ଗୋଲାପ କସ୍ତୁରୀ
ସୁଗନ୍ଧରାଜ ଜାଇଫଳ ମାନ ।

ମଦନମୋହନ ନିତି ନୂଆ ବେଶ
କୃଷ୍ଣଲୀଳା ରାସ ହୁଏ ପ୍ରକାଶ
ଏକୋଇଶ ଦିନେ ଏକୋଇଶ ବେଶ
ଚନ୍ଦନ ଯାତରା ହୁଅଇ ଶେଷ ।


ଗଦାଧର ସାହୁ
କଙ୍କଡାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ