ଚର୍ମ କ୍ୟାନ୍‌ସରର ଲକ୍ଷଣ ଓ ଉପଚାର

ଶରୀରରେ କଳାଜାଇ କିମ୍ବା ଭାତୁଡ଼ି ହେବା ସାଧାରଣ କଥା। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା ଚର୍ମ କ୍ୟାନ୍‌ସରର ସଙ୍କେତ ହୋଇପାରେ। ଶରୀରରେ ଅଚାନକ ସୃଷ୍ଟି ହେଉଥିବା କଳାଜାଇ କିମ୍ବା ଭାତୁଡ଼ି ଚର୍ମ କ୍ୟାନ୍‌ସରର ଲକ୍ଷଣ ହୋଇପାରେ। ସୂଚନାଯୋଗ୍ୟ ଯେ କଳାଜାଇ ଓ ମେଲାନୋମା (ଏକ ପ୍ରକାରର ସ୍କିନ୍‌ କ୍ୟାନ୍‌ସର) ମଧ୍ୟରେ ଏକ ଛୋଟ ରେଖା ରହିଛି, ଯାହାକୁ କେବଳ ତ୍ବଚାର ଯାଞ୍ଚ ଦ୍ବାରା ହିଁ ଜଣାପଡ଼ିବ।
ମେଲାନୋମା କ୍ୟାନ୍‌ସର କ’ଣ?
ଏହି ଚର୍ମ କ୍ୟାନ୍‌ସର ସବୁଠାରୁ ବିପଦପୂର୍ଣ୍ଣ ଅଟେ। ଏହା ଚର୍ମର ଉକ୍ତ କୋଷିକାକୁ ପ୍ରଭାବିତ କରିଥାଏ, ଯାହା ତ୍ବଚାକୁ ବର୍ଣ୍ଣ ପ୍ରଦାନ କରିଥାଏ। ସବୁଠାରୁ ଦ୍ରୁତ ବେଗରେ ଏହି ଚର୍ମ କ୍ୟାନ୍‌ସର ବ୍ୟାପି ଥାଏ। ଏହି କ୍ୟାନ୍‌ସର ହେବା ଫଳରେ ତ୍ବଚା ବହୁତ ଖରାପ ଦେଖାଯାଇଥାଏ। ତେଣୁ ଏଭଳି ସଙ୍କେତ ଦେଖାଗଲା ମାତ୍ରେ ତୁରନ୍ତ ଚିକିତ୍ସା ଆରମ୍ଭ କରିବା ଉଚିତ।
କ’ଣ କହନ୍ତି ବିଶେଷଜ୍ଞ?
ବିଶେଷଜ୍ଞଙ୍କ ମୁତାବକ ଯଦି କଳାଜାଇ କିମ୍ବା ଭାତୁଡ଼ିର ଆକାର, ରଙ୍ଗ କିମ୍ବା ଆକୃତିରେ କୌଣସି ପରିବର୍ତ୍ତନ ନଜର ଆସେ, ତେବେ ଏହା ମେଲାନୋମା କ୍ୟାନ୍‌ସରର ଲକ୍ଷଣ ହୋଇପାରେ। ସେହିପରି ଅସାମାନ୍ୟ କଳାଜାଇ, ଘା’, ଗୋଟାଳିଆ ଲାଗିବା, ଚିହ୍ନ କିମ୍ବା ତ୍ବଚାରେ ପରିବର୍ତ୍ତନ ହେବା ମଧ୍ୟ ମେଲାନୋମା କିମ୍ବା ଅନ୍ୟ କୌଣସି ଚର୍ମ କ୍ୟାନ୍‌ସରର ଲକ୍ଷଣ ହୋଇପାରେ। ଏପରିସ୍ଥଳେ ଏହାର ତୁରନ୍ତ ପରୀକ୍ଷା କରାଇ ନେବା ଉଚିତ। ଯଦି ଆପଣଙ୍କ ଶରୀରରେ ସୃଷ୍ଟି ହୋଇଥିବା କଳାଜାଇ କିମ୍ବା ଭାତୁଡ଼ିରେ ଅଚାନକ ପରିବର୍ତ୍ତନ ହେଉଛି, ତେବେ ଏହାର ଫଟୋ ଉଠାଇ ରଖନ୍ତୁ। ପରେ କିଛି ଦିନ ପରେ ଏହି ଫଟୋକୁ କଳାଜାଇ ସହିତ ମ୍ୟାଚ୍‌ କରାନ୍ତୁ। ଏଥିରୁ ଆପଣ ଜାଣିପାରିବେ ଆପଣଙ୍କ କଳାଜାଇରେ କିଛି ପରିବର୍ତ୍ତନ ହେଉଛି କି ନାହିଁ।
ଏକ ସାଧାରଣ କଳାଜାଇର ଲକ୍ଷଣ
ଏକ ସାଧାରଣ କଳାଜାଇ ନରମ, ଗୋଲାକାର ଓ ଆରମ୍ଭରେ ହାଲୁକା ବ୍ରାଉନ୍‌ ରଙ୍ଗର ହୋଇଥାଏ। ସୂର୍ଯ୍ୟ କିରଣ ସହିତ ସମ୍ପର୍କରେ ଆସିବା ପରେ ଏହା ରଙ୍ଗ ବଦଳାଇ ଥାଏ। ତେଣୁ ଯଦି ଆପଣଙ୍କ କଳାଜାଇ ପ୍ରଥମରୁ ଡାର୍କ ଓ ଆକାରରେ ବଡ଼ କିମ୍ବା କଠିନ ହୋଇଥାଏ, ତେବେ ପରୀକ୍ଷା କରାଇ ନେବା ଉଚିତ। ସାଧାରଣତଃ ଜାଇ କଳା, ବ୍ରାଉନ୍‌ ଓ ଲାଲ ହୋଇଥାଏ। ପ୍ରଥମେ ନିଜ ଜାଇର ରଙ୍ଗ ପରୀକ୍ଷା କରାନ୍ତୁ। ଯଦି ଆପଣଙ୍କ ରଙ୍ଗ ବଦଳୁଥିବା ଦେଖିବାକୁ ମିଳୁଛି, ତେବେ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ କରିବା ଉଚିତ। ଆପଣ ଯେତେ ଜୋର୍‌ରେ ଚିପଲେ ମଧ୍ୟ ସାଧାରଣ କଳାଜାଇ ଯନ୍ତ୍ରଣାଦାୟକ ହୋଇ ନ ଥାଏ। କିନ୍ତୁ କଳାଜାଇ ଦରଜ କିମ୍ବା କୁଣ୍ଡେଇ ହେଉଛି, ତେବେ ମେଲାନୋମା କ୍ୟାନ୍‌ସରର ସଙ୍କେତ ହୋଇପାରେ।
ଚର୍ମ କ୍ୟାନ୍‌ସରର ଅନ୍ୟାନ୍ୟ ଲକ୍ଷଣ
ଚର୍ମ କ୍ୟାନ୍‌ସର ସମସ୍ୟା ସହଜରେ ଦେଖାଯାଇ ନ ଥାଏ। ପ୍ରଥମେ ପ୍ରଥମେ ଏହାର ଲକ୍ଷଣ ଖୁବ୍‌ ମାମୁଲି ଦେଖାଯାଇଥାଏ। ଧିରେ ଧିରେ ଏହା ଭୟାନକ ରୂପ ନେଇଥାଏ। ଘା’ ଭଲ ହୋଇ ନ ଥାଏ। କଳାଜାଇର ଆକାର ଓ ରଙ୍ଗ ବଦଳିବାରେ ଲାଗିଥାଏ। ତ୍ବଚା ହାଲୁକା ଲାଲ କିମ୍ବା ବ୍ରାଉନ୍‌ ହେବା ସହିତ ଶୁଷ୍କ ହୋଇଯାଏ। ଶରୀରରୁ ବିନା କାରଣରେ ରକ୍ତ ବାହାରିବା, ନଖ ରଙ୍ଗ କଳା ପଡ଼ିବା, ଖରାରେ ରହିବା ଫଳରେ କୁଣ୍ଡାଇ ହେବା କିମ୍ବା ପୋଡ଼ିବା, ବେକମୁଣ୍ଡା, ମଥା, ଗାଲ ଓ ଆଖି ଚାରିପାଖର ଚର୍ମ ଲାଲ୍‌ ପଡ଼ିଯିବା ଓ ପୋଡ଼ିବା, ବାର୍ଥ ମାର୍କରେ ପରିବର୍ତ୍ତନ, ଚର୍ମରେ ଅନେକ ସପ୍ତାହ ଯାଏ ଦାଗ ରହିବା, ବାରମ୍ବାର ଏକ୍‌ଜିମା ହେବା ଆଦି ଚର୍ମ କ୍ୟାନ୍‌ସରର ଲକ୍ଷଣ ଅଟେ।
ଉପଚାର
ଘରୁ ବାହାରକୁ ବାହାରିଲେ ଘୋଡ଼ାଇ ହୋଇ ବାହାରନ୍ତୁ। ଚର୍ମରେ ଦାଗ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଅଧିକରୁ ଅଧିକ ପାଣି ପିଅନ୍ତୁ। ଏହାଫଳରେ ଶରୀର ହାଇଡ୍ରେଟ୍‌ ରହିଥାଏ ଓ ଚର୍ମ କ୍ୟାନ୍‌ସର ଆଶଙ୍କା ରହି ନ ଥାଏ। ତେଲ ଛଣା ଓ ମସଲାଯୁକ୍ତ ଖାଦ୍ୟ ସେବନ କରନ୍ତୁ ନାହିଁ। ମାଂସ, ଫାଷ୍ଟ ଫୁଡ୍‌, କର୍ଣ୍ଣ ସିରିପ ଭଳି ଫ୍ୟାଟି ଏସିଡ୍‌ଯୁକ୍ତ ଖାଦ୍ୟଠାରୁ ଦୂରେଇ ରହନ୍ତୁ। ଚର୍ମରେ ମଏଶ୍ଚରାଇଜର ଓ ସନ୍‌ସ୍କ୍ରିନ୍‌ ଲୋସନ ବ୍ୟବହାର କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ