ଚାଷଜମି ରେ  ବଜ୍ରପାତ ଅଙ୍ଗନୱାଡ଼ି କର୍ମୀ ମୃତ ୨ ଗୁରୁତର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମରେ ବୁଧବାର ଅପରାହ୍ନ ପ୍ରାୟ ୩ ଟା ରେ  ଆକସ୍ମିକ ବର୍ଷା ଓ ବଜ୍ରପାତ ଯୋଗୁଁ ଜଣେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀଙ୍କ  ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଓ ନଣନ୍ଦ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଦିଗପହଣ୍ଡି ଥାନା ବାସୁଦେବପୁର ଗ୍ରାମର ଏ . ନାର୍ସୁୁଆମ୍ମା  । ସେ ସିଦ୍ଧେଶ୍ଵର ସେକ୍ଟର ଛୋଟରାୟପୁର ଅଙ୍ଗନୱାଡ଼ି କେନ୍ଦ୍ର ୧ ରେ ଦାୟିତ୍ଵ ତୁଲାଇ ଆସୁଥିଲେ । ସେହିପରି ମୃତକଙ୍କ ସ୍ବାମୀ ଏ . ଭୂବୁନି ଏବଂ ନଣନ୍ଦ ଏମ୍. ଡୋଲିଆମ୍ମା ବଜ୍ରପାତ ରେ ଗୁରୁତର ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ସାଢ଼େ ୨ ଟା ସମୟରେ ୩ ଜଣ ମିଶି ଚାଷଜମି କୁ ମୁଗ ଫସଲ ସଂଗ୍ରହ ପାଇଁ ଯାଇଥିଲେ । ତେବେ ୩ ଟା ବେଳେ ପ୍ରବଳ ବର୍ଷା ସାଙ୍ଗକୁ ଆକାଶରେ ଘଡଘଡି ମାରିଥିଲା । ଏହି ବଜ୍ରପାତରେ ସମସ୍ତେ ଚାଷଜମି ରେ ଅଚେତ ଅବସ୍ଥାରେ ଟଳି ପଡ଼ିଥିବା ବେଳେ ଖବରପାଇ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି  ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଉପସ୍ଥିତ ଡାକ୍ତର ଅଙ୍ଗନୱାଡ଼ି କର୍ମୀ ନାର୍ସୁଆମ୍ମା ଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ଖବରପାଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଏମ୍ . ସନ୍ତୋଷ ବଡ଼ ଡାକ୍ତରଖାନା ରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଗୁରୁତର ମାନଙ୍କୁ ଚିକିତ୍ସା କ୍ଷେତ୍ରରେ ସହଯୋଗ  କରିଥିଲେ । ଅପରପକ୍ଷରେ ଖବରପାଇ ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ , ସରପଞ୍ଚ ଏମ୍ . ଶ୍ଯାମଘନ ଙ୍କ ସମେତ ଅଙ୍ଗନୱାଡ଼ି କର୍ମୀମାନେ ଶୋକ ପ୍ରକାଶ କରିଛନ୍ତି । ଏପରିକି ମୃତ ଅଙ୍ଗନୱାଡ଼ି କର୍ମୀଙ୍କ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ରାଶି ଯୋଗାଇ ଦେବାପାଇଁ ସରପଞ୍ଚ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ