ଚାଷ ଜମିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ହତ୍ୟାକାରୀ ପ୍ରେମିକ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମଙ୍ଗଳବାରେ ସକାଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସାରୁ- ମକରଝୋଳ ମଧ୍ୟବର୍ତ୍ତୀ ଏକ ଚାଷଜମିରୁ ହିଞ୍ଜିଳି ପୁଲିସ ଜଣେ ମହିଳାଙ୍କ ଅର୍ଦ୍ଧନଗ୍ନ କ୍ଷତବିକ୍ଷତ ମୃତଦେହକୁ ଉଦ୍ଧାର କରିଥିଲା । ସେହି ସମୟରେ ମହିଳାଙ୍କ ପରିଚୟ ମିଳିପାରିନଥିବାରୁ ପୁଲିସ ନିଜଆଡୁ ଏକ ମାମଲା ରୁଜୁ କରିଥିଲା । ଏ ନେଇ ହିଞ୍ଜିଳି ଥାନା କେସ ନଂ- ୨୯୬/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଗୁରୁବାର ସକାଳେ ମହିଳାଙ୍କୁ ହତ୍ୟା କରିଥିବା ପ୍ରେମିକଙ୍କୁ ଗିରଫ କରିବାରେ ହିଞ୍ଜିଳି ପୁଲିସ ସକ୍ଷମ ହୋଇଥିଲା । ଗିରଫଙ୍କ ଠାରୁ ଏକ ସ୍କୁଟି(ଓଡି୦୭ଏଏଲ ୭୯୭୫)କୁ ଜବତ କରିଛି । ଗିରଫ ଜଣଙ୍କ ହେଲେ ବ୍ରହ୍ମପୁର ସଦର ଥାନା ଗୌତୁମୀ ଗ୍ରାମର ଅଜିତ କୁମାର ଷଡଙ୍ଗୀ(୩୫) । ସ୍ୱାମୀଙ୍କୁ ଛାଡି ମୋ ସହିତ ଫେରାର ହେବାକୁ ରାଜି ନହେବାରୁ ମାଡ ମାରିବା ସହ ତଣ୍ଟିଚିପି ହତ୍ୟା କରିଥିବା ନେଇ ଗିରଫ ପ୍ରେମିକ ଜଣଙ୍କ ପୁଲିସକୁ କହିଛନ୍ତି । ଗିରଫ ପରେ ଗୁରୁବାର ହତ୍ୟାକାରୀ ପ୍ରେମିକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।ପ୍ରକାଶ ଯେ, ହିଞ୍ଜିଳି ଥାନା ସମରଝୋଳ ଗ୍ରାମର କାଳୁ ମହାନ୍ତିଙ୍କ ଝିଅ ସଂଯୁକ୍ତା ମହାନ୍ତିଙ୍କ ସହ ବ୍ରହ୍ମପୁର ସଦର ଥାନା ଗୌତୁମୀ ଗ୍ରାମର ବସନ୍ତ ପଟ୍ଟନାୟକଙ୍କ ୨୦୦୫ ମସିହାରେ ବିବାହ ହୋଇଥିଲା । ବାହାଘରର କିଛି ବର୍ଷ ପରେ ଅଜିତଙ୍କ ସହ ସଂଯୁକ୍ତାଙ୍କ ପ୍ରେମ ସର୍ମ୍ପକ ଗଢି ଉଠିଥିଲା । ସ୍ୱାମୀଙ୍କ ଅନୁପସ୍ଥିତିରେ ଦୁହେଁ ଅନୈତିକ ସର୍ମ୍ପକ ରଖି ଆସୁଥିଲେ । କିଛି ଦିନ ପୂର୍ବେ ମହିଳା ଜଣଙ୍କ ବାପାଘରକୁ ଆସିଥିଲେ । ଖବର ପାଇ ପ୍ରେମିକ ଜଣଙ୍କ ମହିଳାଙ୍କ ବାପାଘର ସମରଝୋଳ ଗ୍ରାମକୁ ଆସି ସମୟ ସୁବିଧା ଦେଖି ଦୁହେଁ ଅନୈତିକ ସର୍ମ୍ପକ ସ୍ଥାପନ କରୁଥିଲେ । ସୋମବାର ରାତିରେ ପ୍ରେମିକ ଅଜିତ ସମରଝୋଳ ଆସି ମହିଳାଙ୍କୁ ଅନୈତିକ ସର୍ମ୍ପକ ରଖିବା ପାଇଁ ଡାକିଥିଲେ । ମହିଳା ଜଣଙ୍କ ସମରଝୋଳ ଛକକୁ ଆସି ପ୍ରେମିକଙ୍କ ସାକ୍ଷାତ ପରେ ଦୁହେଁ ମକରଝୋଳ ନିକଟସ୍ଥ ଏକ ଚାଷଜମିରେ ଶାରୀରିକ ସର୍ମ୍ପକ ରଖିବା ପରେ କୌଣସି କଥାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେହି ସମୟରେ ପ୍ରେମିକ ଜଣଙ୍କ ମହିଳାଙ୍କୁ ସ୍ୱାମୀଙ୍କୁ ଛାଡି ତାଙ୍କ ସହିତ ଫେରାର ହେବାକୁ ଜିଦ୍ କରିଥିଲେ । ମହିଳା ଜଣଙ୍କ ଏଥିରେ ରାଜି ନହେବାରୁ ପ୍ରେମିକ ଜଣଙ୍କ ଚାଷଜମିରେ ମହିଳାଙ୍କୁ ମାଡ ମାରିବା ସହ ପିନ୍ଧା ଓଢଣୀରେ ତଣ୍ଟିଚିପି ହତ୍ୟା କରିଥିଲେ । ମହିଳାଙ୍କ ମୃତ୍ୟୁ ପରେ ଯୁବକ ଜଣଙ୍କ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପ୍ରକାଶ ଥାଉକି, ମଙ୍ଗଳବାର ସକାଳେ ସାରୁ ନିକଟସ୍ଥ ଏକ ଚାଷଜମିରେ ଜଣେ ମହିଳାଙ୍କ ଅର୍ଦ୍ଧନଗ୍ନ କ୍ଷତବିକ୍ଷତ ମୃତଦେହ ପଡିଥିଲା । ଗ୍ରାମର କିଛି ମହିଳା ଚାଷଜମି ନିକଟରେ ମୃତଦେହ ପଡିଥିବା ଦେଖି ସରପଞ୍ଚ ଓ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଆସିକା ଏସଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ, ଏସ.ଆଇ. ସିଦ୍ଧାର୍ଥ ଜେନା, କମାଳିନି ନାୟକ, ହାବିଲଦାର ପ୍ରମୋଦ ଗନ୍ତାୟତ, କନେଷ୍ଟବଳ ସରୋଜ ରଣସିଂ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ମୃତକାଙ୍କ ପରିଚୟ ମିଳିପାରିନଥିବାରୁ ଏବଂ ଏହା ଏକ ସୁପରିକଳ୍ପିତ ହତ୍ୟା ଆଶଙ୍କା କରି ସାଇଣ୍ଟଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଅପରାଧୀର ନିକଟତର ହୋଇଥିଲେ । ମାଜିଷ୍ଟେଟ ତଥା ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନଙ୍କ ଉପସ୍ଥିତିରେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିଲା ।


