ଚୋରି ଗାଡ଼ି ଉଦ୍ଧାର କଲେ ଗାଡ଼ି ମାଲିକ : ଚୋର କୁ ପୋଲିସରେ ଜିମା ଦେଲେ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଗୋଛାପଡା ଥାନା ଅନ୍ତର୍ଗତ ପକାରି ପଞ୍ଚାୟତର ପକାରି ଗ୍ରାମର ସଂଜୟ ଦିଗାଲ ନାମକ ଜଣେ ବ୍ୟକ୍ତିଙ୍କର ଘର ସମ୍ମୁଖରୁ଼ ଏକ ବାଇକ୍ ଗତ ୧୯ ତାରିଖରେ ଚୋରି ହୋଇଥିବା ନେଇ ସେ ଗୋଛାପଡ଼ା ଥାନାରେ ଏତଲା ଦେଇଥିଲେ। ଏତଲା ପ୍ରକାରେ ପୁଲିସ୍ କେସ ନଂ ୧୦୬ା୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ ମଧ୍ୟ ଚୋରକୁ ଧରିବାରେ ସଫଳ ହୋଇ ନ ଥିଲେ। ଅନ୍ୟପକ୍ଷରେ ଗାଡ଼ି ମାଲିକ ସଂଜୟ ତାଙ୍କର ଚୋରି ହୋଇଥିବା ଗାଡ଼ିକୁ ନିଜେ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରୁଥିବା ବେଳେ କୌଣସି ସୂତ୍ରରୁ ଉକ୍ତ ଗାଡ଼ି ପବିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଦଣି ଗ୍ରାମରେ କେହି ଜଣେ ବୁଲାଉଥିବା ଖବର ପାଇ ଗୁରୁବାର ସକାଳେ ସଂଜୟ ଓ ଅନ୍ୟ ସଂପର୍କିୟମାନେ ଦଣି ଗ୍ରାମକୁ ଯାଇଥିଲେ। ଏହି ସମୟରେ ସେହି ରାସ୍ତାରେ ଉକ୍ତ ଗାଡ଼ିଧରି ଟଙ୍କଧର କହଁର ନାମକ ଜଣେ ବ୍ୟକ୍ତି ଆସୁଥିବା ଦେଖି ସେମାନେ ରାସ୍ତାରେ ହିଁ ମାଡ଼ିବସିଥିଲେ। ଗାଡ଼ି ଚିହ୍ନଟ କରି ସେମାନେ ଏ ନେଇ ପୁଲିସକୁ ଖବର ଦେବାପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରା ଉଚରା ଆରମ୍ଭ କରିଛନ୍ତି। ତେବେ ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ଏହିଗାଡ଼ି ଚୋରି ପଛରେ ଏକ ର୍ୟାକେଟ୍ କାମ କରୁଥିବା ମଧ୍ୟ ପୁଲିସ୍ ସନ୍ଦେହ କରି ଅଧିକ ତଦନ୍ତ ଆରମ୍ଭ କରିଛି।


