ଛତ୍ରପୁର ଉପକାରାଗାରକୁ ପ୍ରଶାସନିକ ଓ ସ୍ୱାସ୍ଥ୍ୟ ଟିମ୍‌ର ଯାଞ୍ଚ

ଛତ୍ରପୁର, (ଓ୍ବାଇଏନ୍ଏସ୍) : କରୋନା ଗଡ ଗଂଜାମ ଜିଲ୍ଲାରେ ଡାକ୍ତରଖାନା, ଥାନା ସମେତ କାରାଗାର କୁ ବ୍ୟାପିଯାଇଛି କରୋନା । ଏହି ମହାମାରୀ କବଳରୁ କାରାଗାରରେ ଥିବା ଅନ୍ତେବାସୀ ଓ କର୍ମଚାରୀ ବାଦ ପଡିନାହାନ୍ତି । ଜିଲ୍ଲାର ବ୍ରହ୍ମପୁର ମଣ୍ଡଳ କାରାଗାରରେ କର୍ମଚାରୀ ଓ ଅନ୍ତେବାସୀ ମାନଙ୍କୁ ମିଶାଇ ୫୦ରୁ ଉର୍ଦ୍ଧ୍ୱ ଜଣଙ୍କ କରୋନା ଚିହ୍ନଟ ହୋଇଥିବା ଜଣାପଡିଛି । ସେପଟେ ସମ୍ଭାବ୍ୟ ସଂକ୍ରମଣ ରୋକିବା ପାଇଁ ଜିଲ୍ଲାର କାରାଗାରକୁ ନୁଆ କରି ଆସୁଥିବା ଅଭିଯୁକ୍ତମାନଙ୍କୁ ଆଇସୋଲସେନରେ ରଖାଯାଉଛି । ବ୍ରହ୍ମପୁର ମଣ୍ଡଳ କାରାଗାର କୁ କରୋନା ଛୁଇଁବା ପରେ ଜିଲ୍ଲାର ସମସ୍ତ କାରାଗାରର କର୍ମଚାରୀ ଏବଂ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଗଞ୍ଜାମ ଜିଲ୍ଲା ସଦର ମହକୁମାରେ ଥିବା ଛତ୍ରପୁର ଉପକାରାଗାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗୁରୁବାର ପ୍ରଶାସନିକ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପରିଦର୍ଶନ କରିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ ଓ ଉପଖଣ୍ଡ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର କାହ୍ନୁଚରଣ ପାତ୍ର ପ୍ରମୁଖ ଏହି ଟିମ୍ ଉପକାରାଗାରରେ ଥିବା ଅନ୍ତେବାସୀଙ୍କ କରୋନା ଲକ୍ଷଣ ଅଛି କି ନାହିଁ ସେନେଇ ଅନୁଧ୍ୟାନ କରିବା ସହ ଯାଞ୍ଚ କରିଥିବା ଜଣାପଡିଛି । ୧୨୪ଜଣ ଅନ୍ତେବାସୀଙ୍କ ସେମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଟିମ୍‌ର ସଦସ୍ୟମାନେ ପଚାରି ବୁଝିଥିଲେ । ଯାହାର କିଛି ଲକ୍ଷଣ ଦେଖାଦେବ ତେବେ ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଛତ୍ରପୁର ଉପକରାଗାର ଅଧୀକ୍ଷକ ଶୁଭସ୍ମିତା ବିଶାଳଙ୍କୁ ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ନିର୍ଦ୍ଦେଶ ଦେଇଥିଲେ । ଏହାସହ ଉପକାରାଗାର ପକ୍ଷରୁ ସାନିଟାଇଜସନ୍‌, ନୂତନ ଅନ୍ତେବାସୀଙ୍କ ପାଇଁ ଆଇସୋଲସେନରେ ରଖିବାର ବ୍ୟବସ୍ଥା, ଉପକାରାଗାର ର ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଦ୍ୱାରା ଅନ୍ତେବାସୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ନିୟମିତ କରାଯାଉଛି କି ନାହିଁ, କର୍ମଚାରୀମାନେ କେଉଁ କେଉଁ ରୋଗ ଲକ୍ଷଣ ଅଛି ତଥ୍ୟ ସଂଗ୍ରହ କରିବା ସହ କୋଭିଡ୍‌-୧୯ ନିୟମକୁ କିପରି ପାଳନ କରାଯାଉଛି ତାହକୁ ଏହି ଟିମ୍ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିଥିବା ଜଣାପଡିଛି । ଆସନ୍ତା ସୋମବାର ଦିନ ଏକ ସ୍ୱାସ୍ଥ୍ୟ ଟିମ୍ ଜରିଆରେ ଛତ୍ରପୁର ଉପକାରାଗାର ସମସ୍ତ କର୍ମଚାରୀ ଓ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ପଠାଯିବ ବୋଲି ଉପଜିଲ୍ଲାପାଳ ଶ୍ରି ପୃଷ୍ଟି କହିଛନ୍ତି । ସୂଚନା ଯୋଗ୍ୟ ଯେ ଛତ୍ରପୁର ଉପକାରାଗାରରେ ୧୬୪ଜଣ ଅନ୍ତେବାସୀ ରହିବା ନିମନ୍ତେ ବ୍ୟବସ୍ଥା ରହିଥିବା ବେଳେ ଗୁରୁବାର ସୁଦ୍ଧା ୭ଜଣ ମହିଳା ଅନ୍ତେବାସୀଙ୍କୁ ମିଶାଇ ୧୨୪ ଜଣ ଅନ୍ତେବାସୀ ରହିଛନ୍ତି । ଏହାସହ ଉପକାରାଗାର ଅଧିକ୍ଷୀକଙ୍କୁ ମିଶାଇ ୧୬ଜଣ କର୍ମଚାରୀ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ