ଛାନୁଆରେ ୭.୫ କୋଟିର ବିଦ୍ୟୁତ ସବ-ଷ୍ଟେସନ ସ୍ଥାପନ ଉପକ୍ରମ : ଲୋ-ଭୋଲଟେଜରୁ ତ୍ରାହି ପାଇବେ ପଞ୍ଚାୟତର ଲୋକେ
ବାଲେଶ୍ୱର, (ସରୋଜ ପଣ୍ଡା) :-ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତରେ ୩୩/୧୧ କେଭି ସବଷ୍ଟେସନର କାର୍ଯ୍ୟକ୍ଷମ ସମ୍ପର୍କିତ ଏକ ସମୀକ୍ଷା ବୈଠକ ସଦର ବିଧାୟକ ସ୍ୱରୂପ କୁମାର ଦାସଙ୍କ ସଭାପତିତ୍ୱରେ ସ୍ଥାନୀୟ ସର୍କିଟ ହାଉସରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ଶକ୍ତି ବିଭାଗର ଚିଫ ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ପ୍ୟାରୀମୋହନ ମିଶ୍ର, ଓଟିସିଏଲ କାର୍ଯ୍ୟକାରୀ ନିର୍ଦ୍ଦେଶକ ଜୟରାମ ସାହୁ, ଡିଜିଏମ ମନୋଜ ମହାପାତ୍ର, ଟାଟା ପାୱାରର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପୁହାଣ, କନିଷ୍ଟ ଯନ୍ତ୍ରୀ କିଶୋରେ ଜେନା ଓ ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକଚର ଲିମିଟେଡର ଟିମ ଲିଡର କୈଳାସ ଚନ୍ଦ୍ର ସୁଆର ଓ ପ୍ରୋଜେକ୍ଟ ମ୍ୟାନେ-ଜର ଦୀପ୍ତି ରଞ୍ଜନ ରଣା ଉପସ୍ଥିତ ଥିଲେ । ମୁଖ୍ୟତଃ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ୭ ଗୋଟି ପଞ୍ଚାୟତ କସାଫଳ, ସାର୍ଥା, ଆଲୁମେଦା, ପୁପଡ଼ା, ଛାନୁଆ, ବାହାବଲୁର ଓ ଦୁବଲାଗଡ଼ିର ଜନସାଧାରଣଙ୍କୁ ଗ୍ରୀଷ୍ମଦିନରେ ଅନବରତ ବିଦ୍ୟୁତ ସେବା ଏବଂ ଲୋ-ଭୋଲଟେଜ ଦୂରୀକରଣ ପାଇଁ ଛାନୁଆ ପଞ୍ଚାୟତରେ ୭.୫ କୋଟି ଟଙ୍କା ବ୍ୟୟରେ ୩୩/୧୧ କେଭି ସବଷ୍ଟେସନର ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ଗତ ନଭେମ୍ବର ୨୬ ରେ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ଯଥାଶୀଘ୍ର ସମ୍ପୂର୍ଣ୍ଣ ସହ ସବଷ୍ଟେସନର କାର୍ଯ୍ୟକ୍ଷମ ନିମନ୍ତେ ବିଧାୟକ ଶ୍ରୀ ଦାସ ବିଭାଗୀୟ ଅଧିକାରୀମାନଙ୍କୁ ଏହି ବୈଠକରେ ପରାମର୍ଶ ଦେଇଛନ୍ତି । ଏନେଇ ବିଧାୟକ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଭେଟି ଆଲୋଚନା କରିଥିବା ସେ ଏହି ବୈଠକରେ ସୂଚନା ଦେଇଥିଲେ । ମନ୍ତ୍ରୀ ଶ୍ରୀ ମିଶ୍ର ତୁରନ୍ତ ଶକ୍ତି ବିଭାଗର ଚିଫ ଇଲେକ୍ଟ୍ରିକାଲ ଇନ୍ସପେକ୍ଟରଙ୍କୁ ଛାନୁଆ ସବଷ୍ଟେସନ କୁ ଯଥା ଶୀଘ୍ର ଚାର୍ଜ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦେଇଥିଲେ । ସେହି କ୍ରମରେ ବିଧାୟକ ଶ୍ରୀ ଦାସ ଆଜି ଶକ୍ତି ବିଭାଗର ଅଧିକାରୀ ଓ ପଶାସନିକ ଅଧିକାରୀ ଙ୍କ ସହ ଏହି ବୈଠକ ଆୟୋଜନ କରିଥିବା ସେ ସୂଚନା ଦେଇଛନ୍ତି । ଅନ୍ୟାମନଙ୍କ ମଧ୍ୟରେ ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା ଓ ଶକ୍ତିପଦ ରାୟଙ୍କ ସମେତ ୭ ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଏବଂ ଦଳର ଛାମୁଆ କର୍ମୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।


