ଜବତ ଚାଉଳ ଟ୍ରକ ନାମରେ ମାମଲା ରୁଜୁ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା ବଜାର ଠାରେ ଏକ ବେଆଇନ ଚାଉଳ ଟ୍ରକକୁ ଗତକାଲି ପୁଲିସ ଜବତ କରିଥିଲା । ଉକ୍ତ ଟ୍ରକଟିରେ ବେଆଇନ ଚାଉଳ ଆସିଥିବା ଅନୁମାନ କରି ସ୍ଥାନୀୟ ଅଞ୍ଚଳର ରମେଶ ଭାରତୀ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ମନୋଜ ନାୟକ, ପ୍ରଶାନ୍ତ ସାହୁ, ଶ୍ୟାମ ସେନାପତି ଏହାକୁ ଅଟକ ରଖିଥିଲେ । ପରେ ଉପସ୍ଥିତ ଥିବା ଯୋଗାଣ ଅଧିକାରୀଙ୍କୁ ପଚରାଉଚୁରା କରିବା ପରେ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଏନେଇ ସ୍ଥାନୀୟ ଥାନାକୁ ଖବର ଦିଆଯାଇଥିଲା । ଟ୍ରକଟି କିଛି ଚାଉଳ ଡିଲର ପଏଣ୍ଟରେ ଖାଲି କରି ତେସିଙ୍ଗା ଆଡକୁ ଯାଉଥିବାବେଳେ ପୁଲିସ ଏହାକୁ ଧରିଥିଲା । ଘଟଣା ସମ୍ପର୍କରେ ବ୍ଲକ ଯୋଗାଣ ନିରୀକ୍ଷକ ରେବତୀସ ସିଂନାୟକ ଥାନାରେ ଲିଖିତଭାବେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ୨୩୬/୨୦ମୂଳେ ଏକ ମାମଲା ରୁଜୁ କରାଯାଇ ଟ୍ରକ ଚାଳକକୁ ଅଟକ ରଖାଯାଇଥିବା ଜଣାଯାଇଛି । ସହକାରୀ ଯୋଗାଣ ଅଧିକାରୀ ଉକ୍ତ ଘଟଣା ବାବଦରେ ତଦନ୍ତ କରୁଥିବା ସୂଚନା ମିଳିଛି ।


