ଜିଲା କଂଗ୍ରେସ ପକ୍ଷରୁ ଏସପି ଅଫିସ ଆଗରେ ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା):ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ମାଡ଼ ଓ କଂଗ୍ରେସ ଭବନରେ ପଶି ପୁଲିସର ଆକ୍ରମଣକୁ ବିରୋଧ କରି ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଓ ଓ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସର ବିଭିନ୍ନ ବର୍ଗର ବହୁ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଜିଲା କଂଗ୍ରେସ କମିଟି ସମ୍ପାଦିକ ସୁଧାଂଶୁ ଶେଖର ଜେନା ଓ ପିସିସି ସମ୍ବାଦିକା ଅର୍ଚ୍ଚନା ନନ୍ଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିସିସି ପ୍ରବକ୍ତା ସୁଦର୍ଶନ ଦାସ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ୨୨ ବର୍ଷର ଶାସନ କାଳରେ ବିଜେଡି ଦୁର୍ନୀତିର ଚରମ ସୀମାରେ ପହଞ୍ଚିଥିବା ବେଳେ ପୁଲିସ ଏବେ ସରକାରଙ୍କ ହାତବାରିସ ହୋଇଥିବା କହିଥିଲେ । ପୁଲିସ ରକ୍ଷକ ହେବା ବଦଳରେ ଭକ୍ଷକ ସାଜିଥିବା ସେ ଆରୋପ କରିଥିଲେ । ପୁଲିସର ଏହି ବର୍ବରୋଚିତ ଦମନ ଲୀଳା ବିରୋଧରେ କେବଳ କଂଗ୍ରେସ ନୁହେଁ ଆଗାମୀ ଦିନରେ ସମଗ୍ର ରାଜ୍ୟବାସୀ ଉଚିତ ଜବାବ ଦେବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, ବସ୍ତା କଂଗ୍ରେସ ନେତା ବିଜନ ନାୟକ, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଜିଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଜିଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି, ଅଣ ସଂଗଠିତ ଶ୍ରମିକ ସଂଘ ଜିଲା ସଭାପତି ବିକାଶ ଦାସ ପ୍ରମୁଖ ଏଥିରେ ଯୋଗଦେଇ ବିଜେଡି ସରକାର ଓ ଓଡ଼ିଶା ପୁଲିସ ବିରୋଧରେ ବର୍ଷି ଥିଲେ । ଏହି ଅବସରରେ ବ୍ୟାରିକେଟ ଭାଙ୍ଗି ଏସପିଙ୍କ ଅଫିସ ପରିସରକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବା ବହୁ କଂଗ୍ରେସ କର୍ମୀଙ୍କୁ ପୁଲିସ ଗିରଫ ସହ ଗାଡ଼ିରେ ଅନ୍ୟତ୍ର ନେଇ ଛାଡ଼ିଥିଲା । ପରେ ଏକ ୭ଜଣିଆ ପ୍ରତିନିଧି ଦଳ ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।


