ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ଆଗରେ ଭୂତପୂର୍ବ ସୈନିକ ଅଧିକାର ମଞ୍ଚର ଧାରାଣା

ବାଲେଶ୍ୱର, (ସରୋଜ ପଣ୍ଡା):ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ(ଡିଆରଡିଓ) ପରିସରରେ ଥିବା କ୍ୟାଣ୍ଟିନରୁ ଜିନିଷପତ୍ର କିଣାକିଣିରେ ଅବସରପ୍ରାପ୍ତ ସେନାନୀଙ୍କ ପ୍ରତି ବିଭାଗୀୟ ଉଦାସୀନତାକୁ ନେଇ ଭୂତପୂର୍ବ ସୈନିକ ଅଧିକାର ମଞ୍ଚ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ମନୋଜ ଦାସ, ଆବାହକ ମହେଶ୍ୱର ବେହେରା ଓ ସମ୍ପାଦକ ଦୁର୍ଗାପଦ ଭୂୟାଁ ପ୍ରମୁଖଙ୍କ ନେତୃତ୍ୱରେ ଅବସରପ୍ରାପ୍ତ ସୈନିକମାନେ ଏହି ଗଣଧାରଣାରେ ଯୋଗଦେଇ ଚାନ୍ଦିପୁର ପ୍ରତିରକ୍ଷା କର୍ତ୍ତୃପକ୍ଷଙ୍କ ଉଦାସୀନତାର ପ୍ରତିବାଦ କରିଥିଲେ । ସରକାରୀ ନିୟମ ଅନୁସାରେ ଜଣେ ଅବସରପ୍ରାପ୍ତ ସୈନିକ ଭାରତର ଯେ କୌଣସି ସ୍ଥାନରେ ଥିବା କ୍ୟାଣ୍ଟିନରୁ ନିଜର ଆବଶ୍ୟକ ସାମଗ୍ରୀ କିଣିପାରିବା କଥା । ଏହି କ୍ରମରେ ଚାନ୍ଦିପୁରରେ ଆଇଟିଆର, ପିଏକ୍ସଇ, ମୁଖ୍ୟ ଶାଖା କ୍ୟାଣ୍ଟିନ ସାଙ୍ଗକୁ ଆଉଏକ ଉପ-କ୍ୟାଣ୍ଟିନ ଶାଖା ବି ରହିଛି । ଏଥି ସହିତ ପୂର୍ବରୁ ବାଲେଶ୍ୱର ସହରରେ ଥିବା ଅନ୍ୟଏକ ଶାଖା କ୍ୟାଣ୍ଟିନକୁ ଏବେ ବନ୍ଦ କରି ଦିଆଯାଇଛି । ତେବେ ଚାନ୍ଦିପୁରରେ ଥିବା ୩ କ୍ୟାଣ୍ଟିନରେ ଅବସରପ୍ରାପ୍ତ ସେନାନୀଙ୍କ ନିମନ୍ତେ କୌଣସି ସୁବିଧା ନଥିବା ଧାରଣାକାରୀମାନେ କହିଛନ୍ତି । ପ୍ରତିମାସ ସାମଗ୍ରୀ ଉପଲବ୍ଧ ଥିବା ବେଳେ ଏହି କ୍ୟାଣ୍ଟିନ ଅବସରପ୍ରାପ୍ତ ସେନାନୀଙ୍କ ପାଇଁ ବନ୍ଦ କରି ଦିଆଯାଉଛି । ଆବଶ୍ୟକ ସାମଗ୍ରୀ ଶେଷ ହୋଇ ଆସିବା ପରେ ଏହାକୁ ଖୋଲା ଯାଉଥିବାରୁ ଅବସରପ୍ରାପ୍ତ ସେନାନୀ ନିଜର ଆବଶ୍ୟକ ଜିନିଷପତ୍ର କିଣିବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏମିତିକି ସାମଗ୍ରୀ ଉପଲବ୍ଧ ସମ୍ପର୍କରେ କୌଣସି ଦିନ ଡିସପ୍ଲେ ବୋର୍ଡ଼ରେ କାର୍ଡ଼ଧାରୀଙ୍କୁ ଜଣାଯାଏ ନାହିଁ । ଅନ୍ୟପକ୍ଷରେ ଅବସରପ୍ରାପ୍ତ ସେନାନୀଙ୍କ ପ୍ରତି କ୍ୟାଣ୍ଟିନ ମ୍ୟାନେଜରଙ୍କ ଅଭଦ୍ରୋଚିତ ବ୍ୟବହାର ଦିନକୁ ଦିନ ଅସହ୍ୟ ହୋଇ ପଡ଼ୁଥିଲେ ବି ଶୁଣିବାକୁ କେହି ନାହିଁ । ଏ ବାବଦରେ ଚାନ୍ଦିପୁର ପ୍ରତିରକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ପରେ ବି କୌଣସି ଫଳ ନ ମିଳିବାରୁ ଶେଷରେ ଗଣଧାରଣା ପାଇଁ ମଞ୍ଚ ନିଷ୍ପତ୍ତି ନେଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ତୁରନ୍ତ ଉଚିତ ପଦକ୍ଷେ ନିଆ ନ ଗଲେ ଆଗାମୀ ଦିନେର ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ସଂଗଠନ ପକ୍ଷରୁ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ମୁଖ୍ୟଙ୍କୁ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ