ଜିଲ୍ଲା କଂଗ୍ରେସର ଗଣ ବିକ୍ଷୋଭ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ନିର୍ଦେଶରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଚାରି ଦଫା ଦାବିରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଳଙ୍କିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ, ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ତାଙଙ୍କ ବିରୋଧରେ ମୋକଦ୍ଦମା ରୁଜୁ ଦାବି ସହ କଂଗ୍ରେସ ଭବନରେ ପୋଲିସର ବେଆଇନ ପ୍ରବେଶ ଓ ନିରୀହ ଛାତ୍ର କଂଗ୍ରେସ କର୍ମୀମାନଙ୍କ ଉପରେ ଭୁବନେଶ୍ୱର ପୋଲିସର ନୃସଂସ ଆକ୍ରମଣର ପ୍ରତିବାଦ ଓ କର୍ତ୍ତବ୍ୟରେ ଚରମ ଅବହେଳା ପାଇଁ ଡିସିପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଆଦି ପ୍ରସଙ୍ଗ ଉପରେ କଂଗ୍ରେସ ନେତାମାନେ ସମ ସ୍ୱରରେ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । କଂଗ୍ରେସ ଅଭିଯୋଗ କରିଥିଲା ଯେ ଓଡିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ବିଜେଡି ସରକାରରେ ଆଇନ ତା’ ବାଟରେ ଯାଇନାହିଁ । ଆଇନ ସବୁବେଳେ ବିଜେଡି ବାଟରେ ଯାଇଛି । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି । ବିରୋଧିଦଳର ମତକୁ ବଳ ପ୍ରୟୋଗ କରି ଚପାଇ ଦିଆଯାଉଛି । ସରକାରୀ ଷଡଯନ୍ତ୍ର ହେତୁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ଗୃହରେ ଆଲୋଚନା ହୋଇପାରିଲା ନାହିଁ ଓ ୧୦ଦିନର ଶୀତ ଅଧିବେସନ ସମ୍ପୂର୍ଣ୍ଣ ଭାବେ ଧୋଇଗଲା । ଅପରାଧୀକୁ ସୁରକ୍ଷା ମିଳୁଛି ଓ ନିରୀହ ନିରପରାଧ କଂଗ୍ରେସ ତଥା ବିରୋଧି ଦଳର କର୍ମୀମାନଙ୍କ ଉପରେ ପୋଲିସ ନିର୍ଯ୍ୟାତନା ବଢି ଚାଲିଛି । ରାଜ୍ୟ ସରକାର ଆଇନକୁ ସମ୍ମାନ ଦେଇ ଯଦି କଂଗ୍ରେସର ଦାବିକୁ ଗ୍ରହଣ ନକରନ୍ତି ତା’ ହେଲେ କେନ୍ଦ୍ରାପଡା ସମେତ ସମଗ୍ର ଓଡିଶାରେ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି । ଗଣ ବିକ୍ଷୋଭର ଶେଷରେ ରାଜ୍ୟପାଳଙ୍କ ଉଦେଶ୍ୟରେ ୪ଦଫା ସମ୍ବଳିତ ଏକ ମାନପତ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେଶ ଚନ୍ଦ୍ର ପାଣ୍ଡେଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ଗଣେଶ୍ୱର ବେହେରା, ଦେବେନ୍ଦ୍ର ଶର୍ମା, ଚିିନ୍ମୟ ପ୍ରସାଦ ବେହୁରା, ବିଭ୍ରାଂଶୁ ଶେଖର ଲେଙ୍କା, ରତିକାନ୍ତ କାନୁନଗୋ, ପ୍ରଫୁଲ୍ଲ ଦାସ, ମହମ୍ମଦ ଆକବର ଅଲ୍ଲୀ, ବାବୁରାମ ଜେନା, ଚିତ୍ରସେନ ପରିଡ଼ା, ରବି ବେହେରା, ମଳୟ ଦାସ, ଅମୂଲ୍ୟ ପ୍ରଧାନ, କବି ସାମଲ, ନିରଞ୍ଜନ ପରିଡା, ଉମେଶ ତ୍ରିପାଠୀ, ମୁକ୍ତାର ଖାଁ, ଅନ୍ନପୂର୍ଣ୍ଣା ଦାସ, ରମେଶ ମହାନ୍ତି, ସତ୍ୟପ୍ରିୟ ସାମଲ, ଅଜିତ ମହାପାତ୍ର, ପରଭେଜ ଅକ୍ତର, ସର୍ବେଶ୍ୱର ସେଠୀ, ଧରଣୀଧର ସୁଆର, ରାଜେଶ ମହାନ୍ତି, ସମ୍ରାଟ ଜେନା, ପାରେଶ୍ୱର ନାୟକ, ମଳୟ ଓଝା, ସଂଗ୍ରାମ ପୃଷ୍ଟି, ପ୍ରମୋଦ ବିଶ୍ୱାଳ, ପ୍ରଶାନ୍ତ ବିଶ୍ୱାଳ, ଯଦୁମଣି ଦାସ, ମୀର ମୁର୍ଶିଦ, ଜ୍ଞାନରଞ୍ଜନ ସାହୁ, ହିମାଂଶୁ ବେହେରା, ଅନନ୍ତ ସ୍ୱାଇଁ, କାର୍ତ୍ତିକ ଦୋରା, ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ