ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଗଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିଭାଗର ସମଭାବାପନ୍ନ ଅମଲା ସଙ୍ଘର କର୍ମକର୍ତ୍ତା ଓ ସଭ୍ୟମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଗଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅଧିର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଓଡିଶା ରାଜସ୍ୱ ଅମଲା ସଙ୍ଘର ଜିଲ୍ଲା ସଭାପତି ଦୀନବନ୍ଧୁ ରଥ, ଜିଲ୍ଲା ସମ୍ପାଦକ ସୁକାନ୍ତ କୁମାର ଜେନା, ରାଜ୍ୟ ଉପସଭାପତି ଶୈଳେନ୍ଦ୍ର ନାରାୟଣ ପ୍ରଧାନ, ଓଡିଶା ଅମଲା ସଙ୍ଘର ଅଧ୍ୟକ୍ଷ ବିଶ୍ୱ ପ୍ରକାଶ ଲେଙ୍କା, ନିରଞ୍ଜନ ମଲ୍ଲିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ବିଭାଗର ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁପାତରେ ଗ୍ରେଡ ପେ ଟ୪୨୦୦ଙ୍କା କରାଯିବାରେ ସରକାରଙ୍କ ବୈମାତୃକ ମନୋଭାବ ଓ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟାମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଭବିଷ୍ୟତରେ ରାଜ୍ୟ ମିଳିତ ଅମଲା ମଞ୍ଚର ଆହ୍ୱାନରେ ଯାହା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ତାକୁ ଜିଲ୍ଲା ସ୍ତରରେ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଓଡିଶା ରାଜସ୍ୱ ଅମଲା ସଙ୍ଘ, ଓଡିଶା ଅମଲା ସଙ୍ଘ, ନିଖିଳ ଓଡିଶା ଟ୍ରେଜେରୀ ଅମଲା ସଙ୍ଘ, ଓଡିଶା ସବରେଜିଷ୍ଟର ଅମଲା ସଙ୍ଘର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ ।


