ଜୀବନ ଜୀଇଁବାର ରାହା ଦେଖାଇଲା ରେଡ୍ ସ୍ୱସ୍ତିକ୍ ସୋସାଇଟି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ମୁଁ ହେବି ସ୍ୱାବଲମ୍ବୀ । ପରିବାରର କାହାରି ଉପରେ ବୋଝ ଆଉ ହେବିନାହିଁ । ଘରକୁ ବି ଚଳାଇ ପାରିବି । ଏହିଭଳି ଦୃଢ ମନୋବଳ ଓ ଆତ୍ମବିଶ୍ୱାସ ନେଇ ଆଗେଇ ଚାଲିଛନ୍ତି ୟୁନିଟ୍-୯ ଅଞ୍ଚଳରେ ରହୁଥିବା ଗରିବ ମେଧାବୀ ଛାତ୍ରୀ ସୁସ୍ମିତାରାଣୀ ରାଉତ । ଅଭାବ ମଧ୍ୟରେ ସଂଘର୍ଷ କରି ଘରେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷାଦାନ କରିବା ସହ ଦୂରଶିକ୍ଷା ମାଧ୍ୟମରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଅଧିନରେ +୩ କଳାରେ ଶେଷବର୍ଷରେ ସେ ପାଠ ପଢୁଛନ୍ତି । ଏତଦ୍ସହ ଏକ ସରକାରୀ କମ୍ପୁଟର ଶିକ୍ଷା ଅନୁଷ୍ଠାନରେ କମ୍ପୁଟର ଏକ କୋର୍ସ କରୁଛନ୍ତି । ଆଉ ଅଳ୍ପଦିନ ପରେ କମ୍ପୁଟରର କୋର୍ସ ସମାପ୍ତ ହୋଇଯିବ । କମ୍ପୁଟର ମାଧ୍ୟମରେ ଅର୍ଥ ଉପାର୍ଜନ କରି ଆର୍ଥିକ ଅବସ୍ଥାକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରହିଥିଲେ ସୁଦ୍ଧା ଆର୍ଥିକ ଅନାଟନ ଯୋଗୁ କମ୍ପୁଟର ବା ଲ୍ୟାପଟପ୍ଟିଏ କିଣିବା ତାଙ୍କ ପାଇଁ ସାତସପନ । ଏହିଭଳି ମେଧାବୀ ଛାତ୍ରୀର ଆଗ୍ରହ ଓ ସ୍ୱାବଲମ୍ବୀ ହେବାର ଖବର ପାଇ ୧୯୮୫ ବ୍ୟାଚ୍ ଭୁବନେଶ୍ୱର ଡ଼ିଏମ୍ ସ୍କୁଲ୍ର ପୁରାତନ ଛାତ୍ର ବିଷ୍ଣୁପଦ ରଥ, ସୁଧାନ୍ୱ ଦାଶ ଏବଂ ରେଡ୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ସମ୍ପାଦକ ଦେବାଶିଷ ପଟ୍ଟନାୟକଙ୍କ ମିଳିତ ସହଯୋଗରେ ସୁସ୍ମିତାଙ୍କୁ ଏକ ଲ୍ୟାପଟପ୍ ଯୋଗାଇ ଦିଆଯାଇଛି । ଲ୍ୟାପଟପ୍ ପାଇବା ପରେ ସୁସ୍ମିତା ତାଙ୍କ ପ୍ରତିକ୍ରିୟାରେ କହିଥିଲେ ମୋତେ ଜୀବନ ଜୀଇଁବାର ଏକ ରାହା ମିଳିଗଲା । ମୁଁ ନିଶ୍ଚିତରୂପେ ସଫଳତା ପାଇବି ବୋଲି ଆଶାପ୍ରକଟ କରିବା ସହ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ସାଧୁବାଦ ଜଣାଇଥିଲେ ।


