ଜୀବିକା ହରାଇଥିବା ଶ୍ରମିକଙ୍କୁ “ଦି ନ୍ୟୁ ହୋପ୍’ର ସହାୟତା
ବାଲେଶ୍ୱର, (ସରୋଜ ପଣ୍ଡା):ଦିଲୀରେ କାର୍ଯ୍ୟରତ ଶ୍ରମିକ କରୋନା କାଳରେ ଜୀବିକା ହରାଇ ଘରକୁ ଫେରିଥିବା ଅଭଣା ଅଞ୍ଚଳର ଶ୍ରୀକାନ୍ତ ନାୟକଙ୍କୁ ସହଯୋଗର ହାତ ବଢ଼ାଇଛି ବାଲେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ \”ଦି ନ୍ୟୁ ହୋପ୍’ । ସଂଗଠନର ସହାୟତାରେ ସହରର ଗଡଗଡିଆ ଛକ ନିକଟ ବ୍ୟାଙ୍କ ଆଫ ବରୋଦା ସମ୍ମୁଖରେ ଦି ନ୍ୟୁ ହୋପ୍ ପ୍ରଦତ୍ତ ଏକ ହାଇଜେନିକ ଟିଫିନ ସେଂଟର ଗୁରୁବାର ଉଦଘାଟିତ ହୋଇଯାଇଛି । ପ୍ରତିଭାଶ୍ରୀର ମୁଖ୍ୟ କବି ପ୍ରଶାନ୍ତ ଦାସ ଏହି ଟିଫିନ ସେଣ୍ଟରକୁ ଉଦଘାଟନ କରିବା ସହିତ ଦି ନ୍ୟୁ ହୋପ୍ର ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦହରଣ ହୋଇପାରିଛି ବୋଲି କହିଥିଲେ । ଦି ନ୍ୟୁ ହୋପ୍ର ମୁଖ୍ୟ ସଂଗ୍ରାମ ପଣ୍ଡା ସଂଗଠନର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । କରୋନା କାଳରେ ଜୀବିକା ହରାଇଥିବା ଲୋକଙ୍କୁ ରୋଜଗାର ଦେବାପାଇଁ ଫେସବୁକ ମାଧ୍ୟମରେ ସଂଗଠନର ପକ୍ଷରୁ ଏକ ବିଜ୍ଞାପନ ଦିଆ ଯାଇଥିଲା । ଏହି ବିଜ୍ଞାପନ ଦେଖି ଶ୍ରୀ ନାୟକ ଦି ନ୍ୟୁ ହୋପ୍ର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ ସହ ନିଜର ଦୁଃଖ ଜଣାଇଥିଲେ । ସଂଗଠନ ପକ୍ଷରୁ ତାଙ୍କୁ ଏକ ନୂତନ ଠେଲାଗାଡି ସହ ବ୍ୟବସାୟ ପାଇଁ ସମସ୍ତ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିବା ଶ୍ରୀ ପଣ୍ଡା କହିଥିଲେ । ଦି ନ୍ୟୁ ହୋପ ତାଙ୍କ ଜୀବନରେ ଏକ ନୂତନ ଆଶା ର ଆଲୋକ ଆଣିଦେବା ସହ ପରିବାର ପ୍ରତିପୋଷଣ ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରିଥିବାରୁ ଶ୍ରୀ ନାୟକ ସଂଗଠନର ସମସ୍ତ କର୍ମକର୍ତାଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶ୍ୱିନୀ ଦାସ, ଅଜିତ ପତି, ସୁଶାନ୍ତ ମହାପାତ୍ର, ରଞ୍ଜିତା ପ୍ରଧାନ, ଦୀନେଶ ଖଣ୍ଡେଲବଲ, ରାଜେଶ ଶର୍ମା, ତପନ ଜେନା, ଚିତ୍ତରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ ।


