“ଜୱାଦ” ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ସଜାଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ସମ୍ଭାବ୍ୟ ସାମୁଦ୍ରିକ ଝଡ ଜୱାଦ ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସଜାଗ ଥିବା ଜଣାପଡିଛି । ଏଥି ନିମନ୍ତେ ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକର ବିଡିଓ ଓ ତହସିଲଦାରମାନଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସମ୍ପୁର୍ଣ୍ଣ ସଜାଗ ରଖାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ସେହିପରି କୃଷକଙ୍କୁ ସତର୍କତାର ସୂଚନା ଦିଆଯାଇଥିବା ବେଳେ ଅଧିକ ଅମଳ ଧାନକୁ ସୁରକ୍ଷିତ ରଖିବାକୁ ଜିଲ୍ଲାର ଗୁରାଣ୍ଡି, ରାୟଗଡ, ଗାରବନ୍ଧ ଓ ଗୁମ୍ମାର ବୃହତମ ଗୋଦାମକୁ ଖୋଲାଯାଇଛି । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଏହାକୁ କିପରି ଭାବେ ଯତ୍ନର ସହ ରଖିବା ଏ ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ ଶ୍ରୀ ପଣ୍ଡା । ସମ୍ଭାବ୍ୟ ବାତ୍ୟା ଯୋଗୁଁ କୃଷି, ରାଜସ୍ୱ ଓ ଆକଳନ ବିଭାଗର ତିନିଜଣିଆ କମିଟି ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବା ପରେ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି । ସମ୍ଭାବ୍ୟ ବତ୍ୟାକୁ ଦୃଷ୍ଟିରେ ରଖି ଘନ ଘନ ବୈଠକ ଜାରି ରଖିବା ସହ ୨୪ଘଣ୍ଟିଆ ତତ୍ପର ରହିବା ପାଇଁ ସମସ୍ତ ଅଧିକାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଗଜପତି ଜିଲ୍ଲାରେ ଏନଡିଆରଏଫର ବିଭିନ୍ନ ଦଳ ପହଞ୍ଚିଛନ୍ତି । ଏମାନଙ୍କୁ ଗଜପତି ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକ ଯଥା, ମୋହନା, ଆର.ଉଦୟଗିରି, ନୁଆଗଡ, ଗୋଷାଣୀ, ଗୁମ୍ମା, କାଶୀନଗର, ରାୟଗଡା ଅଞ୍ଚଳରେ ସଜାଗ ରଖାଯାଇଛି । ସମସ୍ତ ଅଞ୍ଚଳର ଟିକିନିଖି ଖବର ଓ ସମସ୍ତ ସମସ୍ୟାର ସମାଧାନ ପାଇଁ ୨୪ଘଣ୍ଟିଆ ଜରୁରୀ ପ୍ରକୋଷ୍ଠରେ ବହୁ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।


