“ଜୱାଦ” ପାଇଁ ଛୁଟି ବାତିଲ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ସମ୍ଭାବ୍ୟ ସାମୁଦ୍ରିକ ଝଡ ଜୱାଦ ପାଇଁ ଗଜପତିରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ସମସ୍ତ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି । ଚିଠି ସଂଖ୍ୟା ୧୭୧୯ ପ୍ରକାରେ ସମ୍ଭାବ୍ୟ ଜୱାଦ ବାତ୍ୟା ଟଳିବା ପର୍ଯ୍ୟନ୍ତ କୌଣସି ସରକାରୀ କର୍ମଚାରୀ ଛୁଟିରେ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସରକାରୀ କର୍ମଚାରୀମାନେ ନିଜ ନିଜ କ୍ଷେତ୍ର ଅଞ୍ଚଳରେ ଦାୟିତ୍ୱ ତୁଲାଇବେ ବୋଲି କୁହାଯାଇଛି । ଏହା ସହ ଏହି ସମୟ ମଧ୍ୟରେ ସମସ୍ତ ସରକାରୀ ଛୁଟିକୁ ବାତିଲ କରାଯାଇଥିବାର ମଧ୍ୟ ଜଣାପଡିଛି । ସେହିପରି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ସମ୍ଭାବ୍ୟ ବାତ୍ୟା “ଜୱାଦ”ସାମୂଦ୍ରିକ ଝଡର ମୁକାବିଲାପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ସକାଳ ୧୧ ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସୁଥିବା ଝଡବାତ୍ୟା ଜୱାଦର ବ୍ଲକ ସ୍ତରୀୟ ପ୍ରସ୍ତୁତିକରଣ ବୈଠକ ଜିଲ୍ଲାଗ୍ରାମ୍ୟା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକସ୍ତରୀୟ ଏବଂ ଗ୍ରାମପଞ୍ଚାୟତ ଅଧିକାରୀ,ଗୁରାଣ୍ଡି ଥାନା ଅଧିକରୀ ଏବଂ ଗୁରାଣ୍ଡି ମେଡିକାଲ ଅଧିକାରୀ ଏହି ବୈଠକରେ ଯୋଗ ଦେଇ “ଜୱାଦ” ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ବୈଠକରେ ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାର କରି କିପରି ବ୍ୟାତ୍ୟା ଆଶ୍ରୟସ୍ଥଳି ତଥା ସୁରକ୍ଷିତ ସ୍ଥାନକୁ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାସହ ରନ୍ଧା ଖାଦ୍ୟ ସମ୍ପର୍କରେ ଆଲୋଚନା ମଧ୍ୟ କରାଯାଇଥିଲା । ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତରେ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାପାଇଁ ମଧ୍ୟ ଆଲୋଚନା ହୋଇଥିଲା ।


