ଟିକ୍ଟକ୍ ଉପରେ ପ୍ରତିବନ୍ଧକ, ୪୫ ହଜାର କୋଟି ଟଙ୍କାର କ୍ଷତି ସହିବ ବାଇଡାନ୍ସ
ନୂଆଦିଲ୍ଲୀ: ଟିକଟକ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିବା ପରେ ଏହାର ମୂଳ କମ୍ପାନୀ ବାଇଟଡାନ୍ସକୁ ୪୫,୦୦୦ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡିବ ବୋଲି ଆଶା କରାଯାଉଛି। ଟିକଟକ ଏବଂ ୫୮ଟି ଚାଇନିଜ୍ ଆପ୍ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ପରେ ଏହି ସମସ୍ତ କମ୍ପାନୀଗୁଡିକ ସହ ଟିକଟକର ମୂଳ କମ୍ପାନୀ ବାଇଟଡାନ୍ସକୁ ମଧ୍ୟ ଆର୍ଥିକ କ୍ଷତି ସହିବାକୁ ପଡିବ ବୋଲି ଜଣା ପଡିଛି | ଚୀନ୍ର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ରିପୋର୍ଟ କରିଛି ଯେ, ସୁରକ୍ଷା ସମସ୍ୟା ହେତୁ ଟିକଟକ, ହେଲୋ ଏବଂ ଅନ୍ୟାନ୍ୟ ଚୀନ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ବାଇଟ୍ ଡାନ୍ସ ୬ ବିଲିୟନ ଡ଼ଲାରର କ୍ଷତି ସହିପାରେ। ସବୁଠାରୁ ବଡ଼ କଥା ହେଲା, ଟିକଟକ ପାଇଁ ଭାରତ ରାଜସ୍ୱର ମୁଖ୍ୟ ଉତ୍ସ ନଥିଲେ ମଧ୍ୟ ଏହି ଆପ୍ ଅଧିକାଂଶ ଡାଉନଲୋଡ୍ କରିବାରେ ଭାରତ ଶୀର୍ଷ ଦେଶମାନଙ୍କ ମଧ୍ୟରେ ଥିଲା। ଗ୍ଲୋବାଲ ଟାଇମ୍ସ ରିପୋର୍ଟ କରିଛି ଯେ, ଗତ କିଛି ବର୍ଷ ମଧ୍ୟରେ ବାଇଟଡାନ୍ସ ଭାରତୀୟ ବଜାରରେ ୧ ବିଲିୟନ ଡଲାରରୁ ଅଧିକ ବିନିଯୋଗ କରିଛି ଏବଂ ଏହି ନିଷେଧାଦେଶ ଭାରତରେ କମ୍ପାନୀର ବ୍ୟବସାୟ ଉପରେ ଅଧିକ ପ୍ରଭାବ ପକାଇପାରେ । ଗ୍ଲୋବାଲ୍ ଟାଇମ୍ସ ଦାବି କରିଛି ଯେ, ବାଇଟଡାନ୍ସର କ୍ଷତି ମିଳିତ ଭାବେଟ ଅନ୍ୟ ସମସ୍ତ ଆପ୍ସର ସମ୍ଭାବ୍ୟ କ୍ଷତିଠାରୁ ଅଧିକ ହେବ। ମୋବାଇଲ୍ ଆପ୍ ଆନାଲିସିସ୍ କମ୍ପାନୀ ସେନ୍ସର ଟୁର୍ ନିକଟରେ ପ୍ରକାଶ କରିଥିବା ଏକ ରିପୋର୍ଟରେ କହିଛି ଯେ, ଟିକଟକ୍ ମେ ମାସରେ ୧୧୨ ମିଲିୟନ୍ ଥର ଡାଉନଲୋଡ୍ ହୋଇଛି ଏବଂ ଏହାର ମୋଟ ୨୦ ପ୍ରତିଶତ ଭାରତୀୟ ବଜାରରେ ରହିଛି। ସୂଚନା ମୁତାବକ, ସୋମବାର ଦିନ ଟିକଟକ ସମେତ ୫୯ଟି ଚାଇନିଜ ଆପ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଥିଲେ । ଭାରତ-ଚୀନ ମଧ୍ୟରେ ସଂଘର୍ଷ ହେବା ପରେ ସୀମା ବିବାଦକୁ ଦେଖି ଭାରତ ସରକାର ଏହି ନିଷ୍ପତ୍ତି ନେଇଥିଲେ । ଭାରତ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ପ୍ରତିବନ୍ଧକ ଲାଗିଥିବା ୫୯ଟି ଆପ ଅଧିକ ପ୍ରଭାବିତ ହେଉଥିବା ଦେଖାଯାଇଛି ।


