ଡମ୍ପିୟାର୍ଡ ଥିବା ବେଲଗୁଣ୍ଠା ଶ୍ମଶାନର ଏକ ବର୍ଷରେ ବଦଳିଲା ରୁପରେଖା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସୁତୁମୁସର ରୋଡ଼ ଶ୍ମଶାନ। ଦିନେ ସେଠି ପଡୁଥିଲା କୁଢ଼ କୁଢ଼ ଆବର୍ଜନା । ଦୁର୍ଗନ୍ଧରେ ନାକ ପାଟି ପଡୁଥିଲା ।ମୋକ୍ଷ ପ୍ରାପ୍ତି ପାଇଁ ଆସୁଥିବା ଶବ ବି ଭୋଗୁଥିଲା ଯନ୍ତ୍ରଣା ।ଆଉ ବର୍ଷା ଦିନରେ ଅବସ୍ଥା କହିଲେ ବି ସରୁନଥିଲା । ଦୀର୍ଘ କୋଡ଼ିଏ ବର୍ଷରୁ ଉର୍ଦ୍ଧ୍ବ ସେଠାରେ ବେଲଗୁଣ୍ଠା ସହରର ସମସ୍ତ ମଇଳା,ଅଳିଆ ଆବର୍ଜ୍ଜନା ପଡି ପଡି ପାହାଡ଼ ସୃଷ୍ଟି ହୋଇଥିଲା । ଯାହା ଫଳରେ କି ବେଲଗୁଣ୍ଠା ସହର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ ହୋଇଥିଲା ।ଏହାକୁ ଗୁରୁତର ଭାବେ ନେଇ ବେଲଗୁଣ୍ଠା ଏନ୍.ଏ.ସି ପ୍ରଶାସନ ରାଜ୍ୟ ସରକାରଙ୍କ ଆଦର୍ଶ ଶ୍ମଶାନ ଯୋଜନାରେ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ୧୦୦୦୦ ମ୍ୟାଟ୍ରିକ ଟନ୍ ଆବର୍ଜନା କୁ ଖାଲି କରାଇ ୪୦ ଲକ୍ଷ ଟଙ୍କା ବ୍ୟୟବରାଦ କରି ଶ୍ମଶାନ କୁ ନୁଆ ରୁପ ଦେବାକୁ ଆରମ୍ଭ କରିଥିଲେ ।ଆଜି ଶ୍ମଶାନର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଦେଖିଲେ ଏହା ଏକ ଉଦ୍ୟାନର ଭ୍ରମ ସୃଷ୍ଟି କରୁଛି । ୫ ଟି ଶବ ଦାହ ଆସ୍ଥାନ ସହିତ ଶବଦାହ ପାଇଁ ଆସିଥିବା ଲୋକମାନଙ୍କ ବିଶ୍ରାମ ସ୍ଥାନ,ଶୌଚାଳୟ,୨୪ ଘଣ୍ଟିଆ ପାଣିର ସୁବନ୍ଦୋବସ୍ତ କରାଯାଇଛି ।ଏଥି ସହିତ ଆଲୋକ ବ୍ୟବସ୍ଥା ବଜାୟ ରଖିବା ପାଇଁ ବୈଦ୍ୟୁତିକ ଏବଂ ସ୍ୱୟଂ ଚାଳିତ ସୋଲାର ଲାଇଟ୍ ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହା ଫଳରେ କି ଜନସାଧାରଣଙ୍କ କୌଣସି ଅସୁବିଧା ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଧ୍ୟାନ ଦିଆଯାଇଛି ।ଏ ନେଇ ବେଲଗୁଣ୍ଠା ବୁଦ୍ଧିଜୀବୀ ଖୁସି ବ୍ୟକ୍ତ କରିବା ସହିତ ଏନ୍.ଏ.ସି ପ୍ରଶାସନକୁ ପ୍ରଶଂସା କରିଛନ୍ତି । ଆଗାମୀ ୨-୩ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଉଦ୍ଘାଟନ କରିବେ ବୋଲି ଏନ୍.ଏ.ସି ପକ୍ଷରୁ ସୁଚନା ମିଳିଛି ।ପ୍ରକାଶ ଥାଉ କି ୬ ନମ୍ବର ୱାର୍ଡରେ ଥିବା ଏହି ଶ୍ମଶାନ ଉପରେ ବେଲଗୁଣ୍ଠା ସହରର ୧୦୦୦୦ ଜନସଂଖ୍ୟା ଥିବା ୫,୬, ୭,୮, ୯,୧୦ ଓ ୧୧ ନମ୍ବର ୱାର୍ଡର ପ୍ରାୟ ଅଧିବାସୀ ଶବ ସତ୍କାର ପାଇଁ ନିର୍ଭର କରୁଛନ୍ତି । ସେହିପରି ବେଲଗୁଣ୍ଠା ୪ ନମ୍ବର ୱାର୍ଡରେ ଥିବା ଶ୍ମଶାନ କୁ ମଧ୍ୟ ଆଦର୍ଶ ଶ୍ମଶାନରେ ବେଲଗୁଣ୍ଠା ପ୍ରଶାସନ ପରିଣତ କରିଛି ।


