ଡିଏମଏଫ୍ ଓ ଖଣିଜ ବିକାଶ ପାଣ୍ଠି ଖର୍ଚ୍ଚ ଉପରେ ଅଙ୍କୁଶ, ଜିଲ୍ଲାପାଳଙ୍କୁ ତାଗିଦ୍
ଭୁବନେଶ୍ୱର : ଟେଣ୍ଡର ହେବା ସତ୍ତ୍ୱେ ଜମି ଦଖଲରେ ସମସ୍ୟା ଯୋଗୁ ରାସ୍ତା ଓ କୋଠା ନିର୍ମାଣ କାର୍ଯ୍ୟରେ ମାତ୍ରାଧିକ ବିଳମ୍ବ ହେଉଛି ଓ ପ୍ରକଳ୍ପ ପରିମାଣ ଅର୍ଥ ଅଯଥା ବୃଦ୍ଧି ପାଉଛି । ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ଓ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ପାଣ୍ଠି (ଓଏମବିଏଡିସି)ରୁ ଏଭଳି ବର୍ଦ୍ଧିତ ପ୍ରକଳ୍ପ ଅର୍ଥକୁ ଅନୁମୋଦନ ଦେବା ସମ୍ଭବପର ହେଉନି । ତେଣୁ ଏଣିକି ଜମି ଦଖଲକୁ ନଆସିବା ପର୍ଯ୍ୟନ୍ତ କୌଣସି ପ୍ରକଳ୍ପ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ ନକରିବା ପାଇଁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ତାଗିଦ୍ କରି ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଡିଏମଏଫ୍ ଓ ଓଏମବିଏଡିସି ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର କାର୍ଯ୍ୟାନ୍ୱୟନକୁ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଗାଇଡଲାଇନ୍ ଜାରି କରିଛନ୍ତି । ଡିଏମଏଫ ଓ ଓଏମବିଏଡିସି ଅନ୍ତର୍ଗତ ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ଅତ୍ୟନ୍ତ ଗୁରୁତ୍ୱର ସହ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବା ପାଇଁ ରାଜ୍ୟ ସରକାର ସମୟସୀମା ନିର୍ଦ୍ଧାରଣ କରିଛନ୍ତି । ଏହି ଦୁଇଟି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରକଳ୍ପ କାର୍ଯ୍ୟକୁ ନିୟମିତ ଭାବେ ମଧ୍ୟ ସର୍ବୋଚ୍ଚସ୍ତରରେ ସମୀକ୍ଷା କରାଯାଉଛି । ଓଏମବିଏଡିସି ପ୍ରକଳ୍ପ କାର୍ଯ୍ୟର ନିୟମିତ ସମୀକ୍ଷା ସୁପ୍ରିମକୋର୍ଟ କ୍ଷମତାପ୍ରାପ୍ତ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏକେ ପଟ୍ଟନାୟକଙ୍କ ଦ୍ୱାରା ହେଉଛି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ଅନୁମାଦିତ ଉଭୟ ରାସ୍ତା ଓ କୋଠା ନିର୍ମାଣ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଦାୟତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ନ୍ୟସ୍ତ ହୋଇଛି । ଏହି ଦୁଇ କାର୍ଯ୍ୟକ୍ରମ ଅଧୀନରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଓ ଅତିରିକ୍ତ ବ୍ୟୟବରାଦ ବିଚାରକୁ ନିଆଯାଏ ନାହିଁ । ତେଣୁ ଏହି ଦୁଇ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରକଳ୍ପ ନିର୍ମାଣ କରାଯିବାବେଳେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ଜେନା ସମସ୍ତ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରିଛନ୍ତି । ତେଣୁ ପ୍ରକଳ୍ପ ପାଇଁ ଚିହ୍ନଟ ଉପଯୁକ୍ତ ଜମି ଦଖଲକୁ ନଆଣି ସେଠାରେ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଟେଣ୍ଡର କରାଯାଉଥିବାରୁ ପ୍ରକଳ୍ପ ନିର୍ମାଣରେ ସମସ୍ୟା ହେଉଛି । ଏହାବ୍ୟତୀତ କୌଣସି ଜମି ନଦେଖି ସେଠାରେ କୋଠା ନିର୍ମାଣ ପାଇଁ ଏଷ୍ଟିମେଟ୍ ପ୍ରସ୍ତୁତ କରିବା ସମ୍ଭବପର ନୁହେଁ । ତେଣୁ ନିର୍ବାହୀ ଯନ୍ତ୍ରୀମାନଙ୍କ ସହ ବିଚାରବିମର୍ଶ କରି କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ଉକ୍ତ ଜମି ନିର୍ବାହୀ ଯନ୍ତ୍ରୀଙ୍କୁ ହସ୍ତାନ୍ତର କରାଯିବା ପରେ ହିଁ ସେଠାରେ ପ୍ରକଳ୍ପ ନିର୍ମାଣ ପାଇଁ ଏଷ୍ଟିମେଟ୍ ରିପୋର୍ଟ ପ୍ରସ୍ତୁତ ହେବ ଓ ତାକୁ ଜିଲ୍ଲାପାଳ କିମ୍ବା ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରକଳ୍ପ ଜମି ହସ୍ତାନ୍ତର ବିନା କୌଣସି ଟେଣ୍ଡର ଆହ୍ୱାନ ନକରିବା ଓ ଠିକାଦାରଙ୍କ ସହ ଚୁକ୍ତି ନକରିବାକୁ ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି । ତେଣୁ ଜିଲ୍ଲାପାଳମାନଙ୍କୁ ସେ ବ୍ୟକ୍ତିଗତ ଭାବେ ଏସବୁ କାର୍ଯ୍ୟକୁ ତଦାରଖ କରି କୌଣସି ପ୍ରକଳ୍ପର ଏଷ୍ଟିମେଟକୁ ପ୍ରଶାସନିକ ଅନୁମାଦନ କରାଇବା ପୂର୍ବରୁ ସମ୍ପୃକ୍ତ ଜମିକୁ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କୁ ନିଶ୍ଚିତ ହସ୍ତାନ୍ତର କରିବାକୁ ଗାଇଡଲାଇନରେ ଉଲ୍ଲେଖ ରହିଛି । ନିର୍ବାହୀ ଯନ୍ତ୍ରୀଙ୍କ ଦଖଲକୁ ଜମି ଆସିନଥିଲେ ସେହି ପ୍ରକଳ୍ପ ପାଇଁ କୌଣସି ଟେଣ୍ଡର କାର୍ଯ୍ୟ ଆହ୍ୱାନ ନକରିବାକୁ ବିଭାଗୀୟ ସଚିବ କଡ଼ା ତାଗିଦ୍ କରିଛନ୍ତି ।


