ଢିଙ୍କିଆରେ ପୋଲିସ୍ର ଲାଠିଚାର୍ଜକୁ ସମାଜବାଦୀ ପାର୍ଟିର ନିନ୍ଦା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଞ୍ଚଳର ଢିଙ୍କିଆ ଗ୍ରାମ ପଞ୍ଚାୟତରେ ଜିନ୍ଦଲ ଷ୍ଟିଲ୍ର ପ୍ରତିଷ୍ଠା ପାଇଁ ମାପଚୁପକୁ କେନ୍ଦ୍ର କରି ପୋଲିସ୍ ପକ୍ଷରୁ ଯେଉଁ ଲାଠି ଚାର୍ଜ କରାଯାଇଛି, ତାହାକୁ ସମାଜବାଦୀ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ପୋଲିସ୍ ଅତର୍କିତ ଭାବରେ ଢିଙ୍କିଆ ଗ୍ରାମ ଭିତରେ ପଶି ଜିନ୍ଦଲ ଇସ୍ପାତ ପ୍ରକଳ୍ପକୁ ବିରୋଧ କରୁଥିବା ଗ୍ରମବାସୀଙ୍କୁ ଲାଠିଚାର୍ଜ କରିବା ଫଳରେ ୧୦ରୁ ୧୫ଜଣ ଆହତ ହୋଇଛନ୍ତି । ପୋଲିସ୍ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଜବରଦସ୍ତ ଗ୍ରାମରୁ ଉଠାଇ ନେଇଛି । ଏହା ସାଧାରଣ ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । ତୁରନ୍ତ ଗିରଫ ହୋଇଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ତାଙ୍କ ଦାଦା ଓ ତାଙ୍କ ଭଉଣୀଙ୍କୁ ଖଲାସ କରିବା, ପୋସ୍କୋ ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀଙ୍କ ବିରୋଧରେ ହୋଇଥିବା ସମସ୍ତ ମକଦ୍ଦମା ପ୍ରତ୍ୟାହାର କରିବା ଏବଂ ଷ୍ଟିଲ୍ପ୍ଲାଣ୍ଟ ପାଇଁ ବିକଳ୍ପ ସ୍ଥାନ ନିରୂପଣ କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । ତା ନହେଲେ ଆଗାମୀ ଦିନରେ ଲୋକଙ୍କ ଆନ୍ଦୋଳନ ତୀବ୍ର ହେବା ସଙ୍ଗେ ସଙ୍ଗେ ଏହି ପ୍ରକଳ୍ପକୁ ପାରାଦ୍ୱୀପ ଠାରୁ ରାଜଧାନୀ ପର୍ଯ୍ୟନ୍ତ ସବୁ ଜାଗାରେ ବିରୋଧ କରାଯିବ ବୋଲି ଶ୍ରୀ ବେହେରା ସତର୍କ କରାଇ ଦେଇଛନ୍ତି ।


