ତାମିଲନାଡ଼ୁର ମିନାକ୍ଷୀ ମନ୍ଦିର
ତାମିଲନାଡ଼ୁର ମିନାକ୍ଷୀ ମା’ଙ୍କ ମନ୍ଦିରର କାରୁକାର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟରୀର । ଏଠାରେ ପାଳିତ ହେଉଥିବା ଉତ୍ସବ ନିମନ୍ତେ ଏହା ଖୁବ ପ୍ରସିଦ୍ଧ ଅଟେ । ଏହି ମନ୍ଦିର ଖୁବ ସଫାସୁତୁରା । ଏହା ତାମିଲନାଡ଼ୁର ମଦୁରାଇ ସହରରେ ଅବସ୍ଥିତ । ସବୁଠାରୁ ପରିଷ୍କାର ପରିଚ୍ଛନ୍ନ ମନ୍ଦିରଗୁଡ଼ିକର ତାଲିକାରେ ମଧ୍ୟ ଏହି ମନ୍ଦିର ଅନ୍ତର୍ଭୁକ୍ତ । ମନ୍ଦିରର ଗର୍ଭଗୃହ ପ୍ରାୟ ୩୫୦୦ ବର୍ଷ ପୁରୁଣା ବୋଲି ମଧ୍ୟ ମାନ୍ୟତା ରହିଛି । ଏହି ମନ୍ଦିର ପ୍ରଭୁ ମହାଦେବ ଓ ମା’ ପାର୍ବତୀଙ୍କୁ ସମର୍ପିିତ ହୋଇଛି ।
ମନ୍ଦିରରେ ବିଷୟରେ ମାନ୍ୟତା ରହିଛି ଯେ, ପ୍ରଭୁ ମହାଦେବ ସୁନ୍ଦରେଶ୍ୱର ରୂପରେ ମା’ ପାର୍ବତୀ (ମିନାକ୍ଷୀ)ଙ୍କୁ ବିବାହ ନିମନ୍ତେ ଏହି ସ୍ଥାନରେ ଆସିଥିଲେ । ତେଣୁ ଏହି ସ୍ଥାନରେ ମନ୍ଦିର ନିର୍ମିତ ହୋଇଛି । ୧୪ ଏକର ଜାଗାରେ ସ୍ଥିତ ଏହି ମନ୍ଦିରର ଉଚ୍ଚତା ୧୬୦ ଫୁଟ ଅଟେ । ମନ୍ଦିରର ଶୋଭା ଓ ସୁରକ୍ଷା ନିମନ୍ତେ ଏହାର ଚତୁପାଶ୍ୱର୍ରେ ବିରାଟ ପ୍ରାଚୀର ନିର୍ମିତ ହୋଇଛି । ମା’ ମିନାକ୍ଷୀଙ୍କ ସମେତ ଏଠାରେ ମା’ଲକ୍ଷ୍ମୀ, ସରସ୍ୱତୀ, ଗଣେଶ ଆଦି ଦେବାଦେବୀଙ୍କୁ ମଧ୍ୟ ପୂଜା କରାଯାଇଥାଏ । ମନ୍ଦିରରେ ଏକ ପୋଖରୀ ରହିଛି “ପୋର୍ଥମରାଇ କୁମଲ’ ଯାହାର ଅର୍ଥ ହେଉଛି ସୁନାପଦ୍ମର ପୋଖରୀ । ସୁନାର ଏକ ପଦ୍ମ ପୋଖରୀର ମଧ୍ୟ ଭାଗରେ ନିର୍ମିତ ହୋଇଛି । ଭକ୍ତଙ୍କ ବିଶ୍ୱାସ ରହିଛି ଯେ ଏଠାରେ ପ୍ରଭୁ ମହାଦେବଙ୍କ ବାସ ରହିଛି । ମନ୍ଦିରର ବିଭିନ୍ନ ସ୍ଥାନରେ ଶିବଙ୍କର ପୌରାଣିକ କଥା ମାନ ଲିଖିତ ହୋଇ ରହିଛି । ମନ୍ଦିର ଭିତରକୁ ଯିବାକୁ ୪ଟି ମୁଖ୍ୟ ଦ୍ୱାର ରହିଛି । ଯାହା ପରସ୍ପର ସହ ଜଡ଼ିତ । ମନ୍ଦିରରେ ଦର୍ଶନ ସମୟ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ ୧୨ଟା ରୁ ୪ଟା ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ ବନ୍ଦ ରହିଥାଏ ।
ପ୍ରତି ବର୍ଷ ଏପ୍ରିଲ ମାସରେ “ତ୍ରିରୁକଲ୍ୟାଣମ୍’ ଉତ୍ସବ ବହୁ ଆଡ଼ମ୍ବର ସହ ୧୦ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଯେଉଁଥିରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ନବରାତ୍ରି ଓ ଶିବରାତ୍ରିରେ ମଧ୍ୟ ଏଠାରେ ବହୁ ଭିଡ଼ ହୋଇଥାଏ । ଗମନାଗମନ ଦୃଷ୍ଟିରୁ ଚେନ୍ନାଇ-ମୀନାମ୍ବକମ ଏୟାରପୋର୍ଟରୁ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବାକୁ ପ୍ରାୟ ୯୦ ମିନିଟ ସମୟ ଲାଗିଥାଏ । ମଦୁରାଇର ଏୟାରପୋର୍ଟରେ ପହଞ୍ଚି ଟାକ୍ସି କିମ୍ବା କ୍ୟାବ୍ ବୁକ କାରି ମନ୍ଦିରକୁ ଯାଇପାରିବେ । ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରୁ ଟ୍ରେନ, ବସ ଦ୍ୱାରା ମଧ୍ୟ ମଦୁରାଇକୁ ଯିବା ନିମନ୍ତେ ସୁବିଧା ରହିଛି । ସେଠାରୁ ମା’ ମିନାକ୍ଷୀ ମନ୍ଦିରକୁ ଯାଇପାରିବେ ।


