ତେଜୁଛି ଖଣିଜ ଚୋରି, ଚୋରା ଖଣିଜ କାରବାରରେ ୭ ଜଣ ଗିରଫ
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ପୁରୁଷୋତମପୁରଠାରେ ଚୋରା ଖଣିଜ ଲୁହାପଥର ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଖବର ପାଇ ଏଥିରେ ସଂପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୨ଟି ଡମ୍ପର, ଗୋଟିଏ ବାଇକ୍, ଗୋଟିଏ ଚାରିଚକିଆ ଯାନ ଓ ୮ଟି ମୋବାଇଲ ଫୋନ୍ ଜବତ କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗତ ତା ୧୩/୦୭/୨୦୨୦ ରିଖ ସୋମବାର ବିଳମ୍ବିତ ରାତିରେ ଦେଓଝର ରେଳ ସାଇଡିଂରୁ ଦୁଇଟି ଡମ୍ପର ନଂ ଓଆର୦୪ବି ୯୪୮୩ , ଓଆର୧୪ଏଲ ୨୭୮୦ ଯୋଗେ ଚୋରା ଖଣିଜ ଲୁହାପଥରକୁ ବିଲେଇପଦା ଫାଣ୍ଡି ଅଧିନସ୍ଥ ପୁରୁଷୋତମପୁର ରାସ୍ତା ଦେଇ ଝାଡଖଣ୍ଡ ରାଜ୍ୟକୁ ଚୋରା ଚାଲାଣ କରାଯାଉଥିବା ବେଳେ ଯୋଡା ପୋଲିସ ଓ ବିଲେଇପଦା ଫାଣ୍ଡି ପୋଲିସ ମିଳିତ ଭାବେ ଚଢାଉ କରିଥିଲେ । ଫଳରେ ସେଠାରୁ ଉକ୍ତ ଦୁଇଟି ଖଣିଜ ବୋଝେଇ ଡମ୍ପରକୁ ଜବତ କରିବା ସହିତ ଏହି କାରବାରରେ ବ୍ୟବହୃତ ଗୋଟିଏ ଜାଇଲୋ କାର ନଂ ଓଆର୦୯ଏନ ୮୭୯୬ , ଗୋଟିଏ ବାଇକ୍ ନଂ ଜେଏଚ୦୬ଏଲ୨୪୬୯ ଓ ୮ଟି ମୋବାଇଲ ଫୋନ ଜବତ କରିବା ସହିତ ଏଥିରେ ସଂପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବଡବିଲ ଅଂଚଳର ଟୁନା ମହାନ୍ତ, ସାଗର ମୁଣ୍ଡା, ମୁକେଶ ମହାନ୍ତ, ଅମର ରାଜକ, ହେମନ୍ତ କୁମାର ମହାନ୍ତ, ପରମିତ ସିଂ ଏବଂ ଝାଡଖଣ୍ଡ ରାଜ୍ୟ ଜଗନାଥପୁର ଅଂଚଳର ଯୁଗଳ କିଶୋର ମହାନ୍ତ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ଏନେଇ କେଶ୍ ନଂ ୧୧୪/୨୦୨୦ ରୁଜୁ କରିଥିବା ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ଏକ ଖଣିରୁ ଦେଓଝର ରେଳ ସାଇଡିଂକୁ ଲୁହାପଥର ପରିବହନ ବେଳେ ଚଂଚକତା କରି ରେଳସାଇଡିଂରେ ପଡିଥିବା ଚାଲାଣରେ ଦର୍ଶାଇ ଉକ୍ତ ଖଣିଜକୁ ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବା ପୋଲିସ ସୂତ୍ରରୁ ଜଣାପଡିଛି । ତେଣେବ ଏନେଇ ଖଣିବିଭାଗ ନିରବଦ୍ରଷ୍ଟା ସାଜିଛି । କାରଣ, ଇନ୍ଟ୍ରିଗ୍ରେଟଡ୍ ମାଇନସ ମିନେରାଲ ମ୍ୟାନେଜମେନ୍ଟ ସିଷ୍ଟମ (ଆଇଥ୍ରୀଏମଏସ) ଥାଇ ମଧ୍ୟ ଖଣିଜ ଚୋରା ଚାଲାଣ ବାହାର ରାଜ୍ୟକୁ ଅନାୟଶରେ ଖଣି ଚୋରମାନ ମାନେ ଜାରି ରଖିଛନ୍ତି ।


