ଦରମା ଦେଉଛି କେଏମ୍‌ସି, ହେଲେ ନାହିଁ ସିଓଙ୍କ ସମ୍ପୂର୍ଣ୍ଣ ହିସାବ!

କଟକ,(ଓ୍ବାଇଏନଏସ): କଟକ ମହାନଗର ନିଗମ (କେଏମ୍‌ସି) ଅଧୀନରେ କାର୍ଯ୍ୟରତ ଗୋଷ୍ଠୀ ସଂଗଠିକା (ସିଓ)ମାନଙ୍କୁ ନିୟମିତ ଦରମା ପ୍ରଦାନ କରାଯାଉଥିବା ବେଳେ, ସେମାନଙ୍କ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ନିଗମ ନିକଟରେ ଉପଲବ୍ଧ ନଥିବା ଅଭିଯୋଗ ଏବେ ପ୍ରଶ୍ନ ଉଠାଇଛି। ଆର୍‌ଟିଆଇ ମାଧ୍ୟମରେ ତଥ୍ୟ ମଗାଯିବା ପରେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିବା ଦାବି କରିଛନ୍ତି ସମାଜସେବୀ ସୁକାନ୍ତ ସେଠୀ। କେଏମ୍‌ସିର ଚିଠି ସଂଖ୍ୟା ୧୦୭୨୮/୦୯.୦୯.୨୦୨୬ ଏବଂ ଆର୍‌ଟିଆଇ ଆବେଦନ ନମ୍ବର ୨୨୪/୨୨.୦୭.୨୦୨୬କୁ ଆଧାର କରି ଶ୍ରୀ ସେଠୀ ଏହି ତଥ୍ୟ ସାମ୍ନାକୁ ଆଣିଥିବା କହିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ତଥ୍ୟ ନମିଳିବାରୁ ସେ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ୍ କରିଥିଲେ। ପ୍ରଥମ ଅପିଲ୍‌ର କେସ୍ ନମ୍ବର ୭୧/୨୦୨୬ ଅନୁଯାୟୀ, ସେପ୍ଟେମ୍ବର ୨୫, ୨୦୨୬ରେ ଶୁଣାଣି ହୋଇଥିଲା। ଏହି ଶୁଣାଣିରେ ବସ୍ତି ଉନ୍ନୟନ ଅଧିକାରୀଙ୍କ ପ୍ରତିନିଧି ହାଜର ହୋଇଥିବା ବେଳେ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ ଅଶୋକ କୁମାର ଲେଙ୍କାଙ୍କ ନିକଟରେ ଆବେଦନର ସମସ୍ତ ବିଷୟରେ ସଠିକ୍ ଉତ୍ତର ରଖିପାରିନଥିବା ଅଭିଯୋଗ ହୋଇଛି। ଶୁଣାଣି ସମୟରେ ଆବେଦନକାରୀ ଶ୍ରୀ ସେଠୀ ମଧ୍ୟ ଉପସ୍ଥିତ ରହି ନିଜ ପକ୍ଷ ରଖିଥିଲେ। ଶ୍ରୀ ସେଠୀଙ୍କ ଅଭିଯୋଗ ଅନୁଯାୟୀ, କେଏମ୍‌ସିର କିଛି ଅଧିକାରୀ ଓ କର୍ମଚାରୀ ତଥ୍ୟ ଦେବାରେ ଅବହେଳା କରିବା ସହ ଆର୍‌ଟିଆଇ ଆଇନର ନିୟମକୁ ଠିକ୍ ଭାବରେ ପାଳନ କରୁନାହାନ୍ତି। ତଥ୍ୟ ଲୁଚାଇବା ପାଇଁ ଜାଣିଶୁଣି ଏଭଳି କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହା ସହିତ କେଏମ୍‌ସିରେ କର୍ମଚାରୀମାନଙ୍କ ବଦଳି ଓ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରିବା ପ୍ରସଙ୍ଗ ମଧ୍ୟ ସେ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, କିଛିଦିନ ପୂର୍ବରୁ ହାତଗଣତି କେତେକ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ, ଆଉ କେତେକ କର୍ମଚାରୀ ୨୦ ବର୍ଷରୁ ଅଧିକ ସମୟ ଧରି ନିଗମରେ କାର୍ଯ୍ୟ କରିଆସୁଛନ୍ତି। ବିକାଶ ଭବନସ୍ଥିତ ବସ୍ତି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଓ କନିଷ୍ଠ ଗୋଷ୍ଠୀ ସଂଗଠିକା (ସିଓ)ମାନଙ୍କୁ ନେଇ ମଧ୍ୟ ଶ୍ରୀ ସେଠୀ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଦାବି ଅନୁଯାୟୀ, କେତେକ ସିଓ ଚାକିରି ଆରମ୍ଭରୁ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦବୀରେ କାର୍ଯ୍ୟ କରିଆସୁଛନ୍ତି। ଏତେ ଦୀର୍ଘ ସମୟ ଧରି ସମାନ ସ୍ଥାନରେ କାର୍ଯ୍ୟ କରିବା ପଛରେ କେଉଁ ନିୟମ ଲାଗୁ ହୋଇଛି, ତାହା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ, କେଏମ୍‌ସି ଅଧୀନରେ ବୃଦ୍ଧ ଓ ବୃଦ୍ଧା ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ ପ୍ରସଙ୍ଗରେ ମଧ୍ୟ ଶ୍ରୀ ସେଠୀ ଆର୍‌ଟିଆଇ ମାଧ୍ୟମରେ ତଥ୍ୟ ମାଗିଥିଲେ। ତାଙ୍କ କହିବା ଅନୁଯାୟୀ, ବହୁ ଯୋଗ୍ୟ ହିତାଧିକାରୀ ୫ ବର୍ଷରୁ ଅଧିକ ସମୟ ଧରି ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। କେଉଁ କାରଣରୁ ଏବଂ କେଉଁ ପ୍ରକ୍ରିୟାରେ ଯୋଗ୍ୟ ହିତାଧିକାରୀମାନେ ଭତ୍ତାରୁ ବଞ୍ଚିତ ହୋଇଛନ୍ତି, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଜୁଲାଇ ୨୨, ୨୦୨୬ରେ କେଏମ୍‌ସି ନିକଟରେ ଆର୍‌ଟିଆଇ ଆବେଦନ କରାଯାଇଥିଲା। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ତଥ୍ୟ ନମିଳିବାରୁ ଜୁଲାଇ ୨୮, ୨୦୨୬ରେ ଶ୍ରୀ ସେଠୀ କେଏମ୍‌ସିର ପ୍ରଥମ ଅପିଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ୍ କରିଥିଲେ। ଆର୍‌ଟିଆଇ ଆଇନ ଅନୁଯାୟୀ ସମୟସୀମା ମଧ୍ୟରେ ସୂଚନା ପ୍ରଦାନ କରାଯିବା ଆବଶ୍ୟକ ଥିବା ସତ୍ତ୍ୱେ ତାହା ହୋଇନଥିବା ନେଇ ସେ ଅଭିଯୋଗ କରିଛନ୍ତି। କେଏମ୍‌ସିରେ ଆର୍‌ଟିଆଇ ମାଧ୍ୟମରେ ମଗାଯାଉଥିବା ସୂଚନାକୁ ନେଇ ସ୍ୱଚ୍ଛତା ରଖିବା ସହ ଆବେଦନକାରୀଙ୍କୁ ନିୟମ ଅନୁଯାୟୀ ସମୟରେ ତଥ୍ୟ ଯୋଗାଇଦେବାକୁ ଶ୍ରୀ ସେଠୀ ଦାବି କରିଛନ୍ତି। ଏଥିସହ କେଏମ୍‌ସିରେ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି, ସିଓମାନଙ୍କ କାର୍ଯ୍ୟକାଳ ଏବଂ ବୃଦ୍ଧ ହିତାଧିକାରୀଙ୍କ ଭତ୍ତା ସମ୍ପର୍କିତ ଅଭିଯୋଗଗୁଡ଼ିକର ତଥ୍ୟାଧାରିତ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ