ଗଣେଶ ଭସାଣି ବେଳେ ପୁଲିସ ଉପରେ ଢେଲାମାଡ଼

କଟକ, (ଓ୍ବାଇଏନଏସ): ଗଣେଶ ଭସାଣି ଓ ରୋଷଣୀକୁ ନେଇ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ପୁଲିସ ଓ ପୂଜା କମିଟି ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ପରେ ପୁଲିସ ଉପରକୁ ଢେଲା ଓ ପଥରମାଡ଼ ହୋଇଛି। ଏଥିରେ ଆଇଆଇସିଙ୍କ ସମେତ ୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାଟି ମାହାଙ୍ଗା ବ୍ଲକ ଚାହାପଡ଼ା ପଞ୍ଚାୟତ ଅନ୍ତର୍ଗତ ବରଦିଆ ଅଞ୍ଚଳରେ ଘଟିଛି।ସୂଚନା ଅନୁଯାୟୀ, ଗଣେଶ ଭସାଣି ଓ ରୋଷଣୀ ପାଇଁ ପୁଲିସ ପକ୍ଷରୁ ରାତି ୧୦ଟା ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ତେବେ ବରଦିଆ ସାହି ଗଣେଶ ପୂଜା କମିଟି ନିର୍ଦ୍ଧାରିତ ସମୟ ଅତିକ୍ରମ କରିବା ପରେ ମଧ୍ୟ ରୋଷଣୀ ଜାରି ରଖିଥିବା ଅଭିଯୋଗ ହୋଇଛି।ସମୟ ସୀମା ଶେଷ ହେବା ପରେ ରୋଷଣୀ ବନ୍ଦ କରିବାକୁ ଆଇଆଇସିଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ପକ୍ଷରୁ ରୋଷଣୀ ବନ୍ଦ କରିବାକୁ ଅନୁରୋଧ କରାଯିବାରୁ କମିଟି ପକ୍ଷରୁ ଏହାକୁ ନେଇ ବିରୋଧ କରାଯାଇଥିଲା।ଏହାକୁ କେନ୍ଦ୍ର କରି ପୁଲିସ ଓ କମିଟି ସଦସ୍ୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର କିଛି ସମୟ ପରେ ଅନ୍ଧାରର ସୁଯୋଗ ନେଇ କିଛି ବ୍ୟକ୍ତି ପୁଲିସ ଉପରକୁ ଅତର୍କିତ ଭାବେ ଢେଲା ଓ ପଥରମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିରେ ଆଇଆଇସିଙ୍କ ସମେତ ୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଆହତ ପୁଲିସ କର୍ମଚାରୀମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସମସ୍ତଙ୍କ ଆହତ ଅବସ୍ଥା ସାମାନ୍ୟ ଥିବା ଜଣାପଡ଼ିଛି। ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜୋରଦାର କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଅଟକ ରଖାଯାଇଥିବା ସାଲେପୁର ଏସଡିପିଓ ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ