ଦାନା ବାନ୍ଧୁଛି ଲଘୁଚାପ: ଆସୁଛି ବଡ଼ ବର୍ଷା, ୨୫ ଓ ୨୬ ତାରିଖ ପାଇଁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଆସୁଛି ବଡ଼ ବର୍ଷା । ୫ ଦିନ ଧରି ବର୍ଷିବ । ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ୨୫ ଓ ୨୬ ତାରିଖରେ ସ୍ଥିତି ଅଧିକ ଖରାପ ହେବ । ତାହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଦୁଇ ଦିନ ପାଇଁ ଓଡ଼ିଶା ଲାଗି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପରିସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାରକୁ ପରାମର୍ଶ ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ପ୍ରଭାବରେ ୨୫ ତାରିଖଠାରୁ ଉତ୍ତର ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ବର୍ଷା ପରିମାଣ ବଢ଼ିବ । ଏହାର ୪୮ ଘଣ୍ଟା ପରେ ଅର୍ଥାତ୍ ୨୬ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ତଥା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ରାୟଲସୀମା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଉପକୂଳ, ଦକ୍ଷିଣ କେନ୍ଦ୍ରୀୟ କର୍ଣ୍ଣାଟକରେ ପ୍ରବଳ ବର୍ଷା ହୋଇପାରେ । ଏଥିସହ ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତରପୂର୍ବ ଭାରତରେ ତିନି ଦିନ ଧରି ବର୍ଷା ଲାଗିରହିବ । ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆସନ୍ତା ଦୁଇ ଦିନ ଧରି ଓ?ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖରେ ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପୁରୀ, ଦେବଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିଭଳି ୨୬ ତାରିଖରେ ବରଗଡ଼ ଓ ସୁନ୍ଦରଗଡ଼ରେ ଅତି ପ୍ରବଳ ବର୍ଷା ଏବଂ ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି ଓ ନୟାଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।
ଗତ ୧୨ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୧୬ ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୪.୪, ଭୁବନେଶ୍ୱରରେ ୪.୨, କେନ୍ଦୁଝରରେ ୩ ଓ ଫୁଲବାଣୀରେ ୧.୮ ମିମି ବର୍ଷା ରେକର୍ଡ ହୋଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆଜି କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆଗକୁ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ପଶ୍ଚିମ ଉପକୂଳ ଆଡ଼କୁ ମୁହାଁଇବ । ଏହାପରେ ୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଦୁଇଟି କ୍ଷେତ୍ରକୁ ନିରେଖି ଦେଖିବା ପରେ ଜଣାପଡୁଛି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ । ୨୩ ଓ ୨୪ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ପଶ୍ଚିମ ସୀମାନ୍ତ ଅଞ୍ଚଳ ଓ ଉପକୂଳବର୍ତୀ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ । କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ । ୨୫ ଓ ୨୬ରେ ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଯଥା ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ । ୨୭ ତାରିଖ ଦିନ ବର୍ଷା କମିବ । ତଥାପି କେତେକ ସ୍ଥାନରେ ବର୍ଷା ହେବ । ଆଭ୍ୟନ୍ତରୀଣ ପଶ୍ଚିମ ଓଡ଼ିଶାରେ ମଧ୍ୟ ୨୩ରୁ ୨୭ ଯାଏ ବର୍ଷା ଲାଗିରହିବ । ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବ । ବର୍ଷା କମ୍ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ