ଦାବି ପୁରଣ ନହେଲେ ପଞ୍ଚାୟତ ନିର୍ବାଚନ ବର୍ଜନ ଚେତାବନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ୬ଗୋଟି ପଞ୍ଚାୟତବାସୀ ମୌଳିକ ସୁବିଧା ତଥା ଅଧିକାରରୁ ବଂଚିତ ଥିବାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ଏନେଇ ନୂଆଗଡ ବ୍ଲକର ପରିମଳ, ସମ୍ବଲପୁର, ସୁନ୍ଦରଡାଙ୍ଗ, କିରାମା, ଅନୁଗୁରୁ ଏବଂ ଉଦୟପୁର ଗ୍ରାମପଞ୍ଚାୟତର ଜନପ୍ରତିନିଧି ଓ ଜନସାଧାରଣ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚି ଏକ ୪ଦଫା ଦାବିପତ୍ର ପ୍ରଦାନ କରିବା ପରେ ସେମାନେ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ଯେ, ନଭେମ୍ବର ୧୪ ତାରିଖ ସୁଦ୍ଧା କାର୍ଯ୍ୟକାରୀ ନ କରାଯାଏ ତେବେ ଆଗାମୀ ଦିନରେ ଆର୍.ଉଦୟଗିରିରେ ରାସ୍ତାରୋକ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ବାଧ୍ୟ ହେବୁ । ସେମାନେ ଆହୁରି ଜଣାଇଛନ୍ତି ଯେ, ଅତ୍ୟାବଶ୍ୟକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ଅଧିକାରରୁ ସମଗ୍ର ବ୍ଲକ ବଞ୍ଚିତ ଥିବା ବେଳେ ବିଶେଷ କରି ଉଲ୍ଲେଖିତ ୬ଗୋଟି ପଞ୍ଚାୟତ ମୌଳିକ ସୁବିଧା ପାଇବାରେ ବହୁ ଦୁରରେ ଅଛି । ଏନେଇ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏହି ଅଞ୍ଚଳରେ ବିଶେଷ କରି ମୋବାଇଲ୍ ସେବା ନିମନ୍ତେ ନେଟୱର୍କ ସ୍ଥାପନ, ଆର୍.ଉଦୟଗିରି ଠାରୁ କିରାମା ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ, ଅଞ୍ଚଳରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ କାର୍ଯ୍ୟକାରୀ କରିବା । ଏହି ୬ ଗୋଟି ଗ୍ରାମ ପଞ୍ଚାୟତକୁ ଆର୍.ଉଦୟଗିରି ବ୍ଲକରେ ମିଶାଇବା ଆଦି ୪ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଯଦି ଏହି ଦାବିଗୁଡିକୁ ଆଗାମୀ ନଭେମ୍ବର ୧୪ ତାରିଖ ସୁଦ୍ଧା କାର୍ଯ୍ୟକାରୀ ନ କରାଯାଏ ତେବେ ଆଗାମୀ ଦିନରେ ଆର୍.ଉଦୟଗିରିରେ ରାସ୍ତାରୋକ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ବାଧ୍ୟ ହେବୁ । ଏଥି ସହ ନିର୍ବାଚନ ସମୟରେ କୌଣସି ନିର୍ବାଚନ ଅଧିକାରୀଙ୍କୁ ଭୋଟ କେନ୍ଦ୍ର ଠାରେ ପୁରାଇ ଦେବୁନି ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଉଦୟପୁର ଗ୍ରାମପଞ୍ଚାୟତର ସରପଞ୍ଚ ଚମ୍ପା ରଇତ, ପରିମଳ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଶାନ୍ତି ଗମାଙ୍ଗ, ଅନୁଗୁରୁ ସରପଞ୍ଚ ଯାକୁବ ମାଝୀ, ସୁନ୍ଦରଡାଙ୍ଗ ସରପଞ୍ଚ ପ୍ରଭା ରଇତ, କିରାମା ସରପଞ୍ଚ ସୁଫଳା ମଣ୍ଡଳ, ସମ୍ବଲପୁର ସରପଞ୍ଚ ଜଗନ୍ନାଥ ଗମାଙ୍ଗ ପ୍ରମୁଖଙ୍କ ସମେତ ସମିତିସଭ୍ୟ, ସମିତିସଭ୍ୟାଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତଥିଲେ ।


