ଦୁଇ ମାସ ହେଲା ହାତୀମୁଣ୍ଡା ପଞ୍ଚାୟତରେ ଭତ୍ତା ଟଙ୍କା ମିଳୁନଥିବା ଅଭିଯୋଗ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ହାତୀମୁଣ୍ଡା ପଞ୍ଚାୟତରେ ଗତ ୨ ମାସ ହେଲା ଭତ୍ତା ଟଙ୍କା ମିଳୁନାହିଁ। ଫଳରେ ବିଧବା, ବାର୍ଦ୍ଧ୍ୟକ୍ୟ, ଦିବ୍ୟାଙ୍ଗ ଭଳି ହିତାଧିକାରୀମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଟଙ୍କା ଅଭାବରୁ ଗୋଟିଏ ଓଳି ଖାଇଲେ ଆଉ ଗୋଟିଏ ଓଳି ଉପବାସ ରହୁଛନ୍ତି। ଏବେ ଅଞ୍ଚଳରେ ଲଗାଣ ବର୍ଷା ଚାଲିଥିବାରୁ କୌଣସି କାମଧନ୍ଦା ନପାଇ ବୃଦ୍ଧାବୃଦ୍ଧମାନେ ବହୁତ ହଇରାଣ ହେଉଛନ୍ତି। ସେମାନଙ୍କ ପାଇଁ ଆବଶ୍ୟକ ଔଷଧ ଆଦି କିଣିବା ସମ୍ଭବ ହେଉନଥିବା ପୀଡାଡ଼ମା ଗ୍ରାମର ନାଗଟା ମଳିକ, ତାଜୁ ମଲିକ ପ୍ରମୁଖ ପ୍ରକାଶ କରିଛନ୍ତି। ଜଣେ ବିଧବା ମହିଳା ସ୍ନେହଳତା ହାୱାଡା କହିଛନ୍ତି ଯେ, ସେ ତାଙ୍କ ପୁଅ ସହ ମିଶି ରହୁଛନ୍ତି। ସ୍ବାମୀ ପ୍ରାୟ ଦଶ ବର୍ଷ ହେଲା ମୃତ୍ୟୁ ବରଣ କରିଥିବାବେଳେ କୌଣସି ରୋଜଗାର କି ଜମିବାଡ଼ି ନଥିବାରୁ ସେ ଅଭାବ ଅନଟନରେ ଜୀବନ କାଟୁଛନ୍ତି। ଉକ୍ତ ଭତ୍ତା ଟଙ୍କା ଉପରେ ଆଶା ରଖିଥଲେ ବି ସେତିକି ମଧ୍ୟ ନିୟମିତ ଠିକ ଭାବେ ମିଳୁନି ବୋଲି ସେ କହିଛନ୍ତି। ହାତୀମୁଣ୍ଡା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟକୁ ଯାତାୟତ ପାଇଁ ବହୁ ସମସ୍ୟା ହୁଏ। ଭତ୍ତା ଓ ଚାଉଳ ପାଇଁ ପଞ୍ଚାୟତ ଅଫିସକୁ ଯିବାକୁ ପଡୁଥିବା ବେଳେ ଭତ୍ତା ପାଇଁ ବାରମ୍ବାର ଦୌଡୁଥିଲେ ସୁଦ୍ଧା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିସିକେଶନ ମଲିକ ପଞ୍ଚାୟତ କାର୍ଯ୍ୟାଳୟକୁ ନିୟମିତ ଆସନ୍ତି ନାହିଁ। ତେଣୁ ଅଞ୍ଚଳବାସୀ ହଇରାଣ ଭୋଗୁଥୁବା ଅଭିଯୋଗ କରିଛନ୍ତି। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିସିକେଶନ ମଲିକଙ୍କୁ ପଚାରିବୁଝିବାରୁ ସେ କହିଛନ୍ତି ଯେ, କିଛି କାରଣରୁ ସେ ଦୁଇମାସ କିଛି ଗ୍ରାମରେ ଭତ୍ତା ଟଙ୍କା ପ୍ରଦାନ କରିପାରି ନାହିଁ l ଉକ୍ତ ଟଙ୍କା ମୋ ନିକଟରେ ରହିଛି ଏବେ ସ୍ବାସ୍ଥ୍ୟଗତ କାରଣରୁ ମୁଁ ଛୁଟିରେ ରହିଛି ବୋଲି ସେ କହିଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ