ଦୁଇ ସରକାରୀ ମେଡିକାଲରେ ଭିନ୍ନ ଭିନ୍ନ ରକ୍ତ ପରୀକ୍ଷା ରିପୋର୍ଟ, ଦ୍ଵନ୍ଦରେ ରୋଗୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଦୁଇ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁଛି ଦୁଇ ପ୍ରକାରର ରିପୋର୍ଟ । କେଉଁଟା ଠିକ,କେଉଁଟା ଭୂଲ, ଏ ନେଇ ଦ୍ଵନ୍ଦରେ ପଡୁଛି ରୋଗୀ । ଏହା ରୋଗୀଙ୍କ ମନୋବଳକୁ ଖାଲି ଦୁର୍ବଳ କରୁନାହିଁ, ବରଂ ସୁସ୍ଥ ଲୋକଙ୍କୁ ବି ରୋଗୀ ବନେଇ ଦେଉଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ରହିଥିବା ମେଡିକାଲ ଗୁଡ଼ିକରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା । ଦାରିଙ୍ଗବାଡି ବ୍ଲକ ସିମନବାଡିର ତରଣୀ କୁମାର ସାହୁ ପଡିଛନ୍ତି ଏଭଳି ଦ୍ବନ୍ଦ୍ବରେ । ସିମନବାଡ଼ି ଗ୍ରାମର ତରଣୀଙ୍କ ଦେହ ଅସୁସ୍ଥ ଥିବା କାରଣରୁ ସେ ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ହିମୋଗ୍ଲୋବିନ ପରୀକ୍ଷା କରାଇଥିଲେ । ଏହା ୯.୬ ଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଉକ୍ତ ରିପୋର୍ଟ ଦେଖି ତରଣୀ ଚିନ୍ତାଗ୍ରସ୍ତ ହେବା ସହ ହିମୋଗ୍ଲୋବିନ କିଭଳି ବୃଦ୍ଧି ପାଇବ ସେ ନେଇ ପରାମର୍ଶ କରିଥିଲେ । କିନ୍ତୁ ପରେ ଉକ୍ତ ରିପୋର୍ଟ ଉପରେ ତାଙ୍କର ସନ୍ଦେହ ହେବାରୁ ସେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପୁଣିଥରେ ନିଜର ରକ୍ତ ପରୀକ୍ଷା କରାଇଥିଲେ । ଏହି ମେଡିକାଲର ରିପୋର୍ଟରେ ହିମୋଗ୍ଲୋବିନ ୧୪.୬ ରହିଥିଲା। ଦୁଇଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରିପୋର୍ଟ ସଂପୂର୍ଣ୍ଣ ଅଲଗା ଆସିବା ପରେ ତରଣୀ ଦ୍ଵନ୍ଦରେ ପଡିଛନ୍ତି ଯେ, କେଉଁ ରିପୋର୍ଟ ଠିକ ଆଉ କେଉଁ ରିପୋର୍ଟ ଭୁଲ । ଅପରପକ୍ଷେ,ଅନେକଙ୍କ କ୍ଷେତ୍ରରେ ଏଭଳି ହେଉଥିବା ଜାଣିବାକୁ ମିଳିଛି । ଏଭଳି ଦ୍ଵନ୍ଦାତ୍ମକ ରିପୋର୍ଟ ରୋଗୀଙ୍କ ପାଇଁ ଚିନ୍ତାଜନକ ବୋଲି ଅଂଚଳର ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି । କର୍ମଚାରୀଙ୍କ ଦାୟିତ୍ବହୀନତା ହେଉ କିମ୍ବା ଅଭିଜ୍ଞ କର୍ମଚାରୀଙ୍କ ଅଭାବରୁ ହେଉ,ଏହି କାରଣରୁ ବହୁ ରୋଗୀଙ୍କ ଜୀବନ ମଧ୍ୟ ଚାଲିଯାଉଥିବା ବିଗତ ଦିନ ମାନଙ୍କରେ ଅଭିଯୋଗ ହେବା ସହ ମେଡିକାଲରେ ଅପ୍ରିତିକର ପରିସ୍ଥିତ ମଧ୍ୟ ସୃଷ୍ଟି ହୋଇଛି ।ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାଜଶ୍ରୀ ପଟନାୟକଙ୍କୁ ପଚାରିବାରୁ ସେ କେଉଁ ରିପୋର୍ଟ ଭୁଲ ଆଉ କେଉଁ ରିପୋର୍ଟ ଠିକ,ତାହା କହିହେବନାହିଁ ବୋଲି କହିବା ସହ ଫୁଲବାଣୀ ମେଡିକାଲକୁ ଆସି ପୁଣି ଟେଷ୍ଟ କରିବା ପାଇଁ ତରଣୀଙ୍କୁ ପରାମର୍ଶ ଦେଇଥିଲେ । ତେବେ ଏଭଳି ସାଧାରଣ ପରୀକ୍ଷା ପାଇଁ ଲୋକେ ଫୁଲବାଣୀ ଯିବେ କି ଵୋଲି ପ୍ରଶ୍ନ ହେଉଛି । କେତେଥର ଟେଷ୍ଟ କଲେ ସଠିକ ରିପୋର୍ଟ ମିଳିବ ବୋଲି ଆଲୋଚନା ହେଉଛି । ଭୂଲ ରିପୋର୍ଟ ଦେଉଥିବା କର୍ମଚାରୀଙ୍କ ଉପରେ ଜିଲ୍ଲା ଅଧିକାରୀ କଣ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଲୋକେ ।


