ଦୁର୍ଘଟଣାରେ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଶୁକ୍ରବାର ସନ୍ଧ୍ୟା ସମୟରେ ଘଟିଥିଲା ଏକ ସିରିଜ୍ ଦୁର୍ଘଟଣା । ଜଣେ ନିଶାସକ୍ତ ଯୁବକ ମୋଟର ସାଇକେଲ ଦ୍ବାରା ସିରିଜ୍ ଦୁର୍ଘଟଣା ଘଟାଇଥିଲା । ଫଳରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକ ବାଲିଗୁଡ଼ା ସୁନାପାଙ୍ଗା ସାହିର ସିମାଞ୍ଚଳ ସାହୁ ।ଶୁକ୍ରବାର ସନ୍ଧ୍ୟା ସମୟରେ ସିମାଞ୍ଚଳ ତାଙ୍କର ଜଣେ ସାଙ୍ଗ ସହ ରେଭିନ୍ୟୁ ବଙ୍ଗଳା ନିକଟସ୍ଥ ରାସ୍ତା କଡ଼ରେ ଥିବା ଏକ ଜଳଖିଆ ଦୋକାନ ସାମ୍ନାରେ ଜଳଖିଆ ଖାଉଥିବା ସମୟରେ ଦୃତ ଗତିରେ ଆସି ମୋଟର ସାଇକେଲ ଧକ୍କା ଦେଇଥିଲା ସିମାଞ୍ଚଳଙ୍କୁ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ ବହୁ ଉଠା ଦୋକାନୀ ଆଡ୍ଡା ଜମାଇଥିବା ବେଳେ ସହର ମଧ୍ୟରେ ଯୁବକମାନେ ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ଦୃତ ଗତିରେ ଗାଡ଼ି ଚଳାଉଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଏଥିପ୍ରତି ପୋଲିସ୍ ଓ ପ୍ରଶାସନ ଗୁରୁତ୍ୱ ଦେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଶନିବାର ରାସ୍ତା ଅବରୋଧ କରିଥିଲେ ।ବାଲିଗୁଡ଼ା ଏନ୍ଏସି ଓ ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତାରୋକ ହଟିଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ସହରର ରାସ୍ତା କଡ଼ରୁ ଉଠା ଦୋକାନ ଉଚ୍ଛେଦ,ମଦ୍ୟପ ଚାଳକ ଓ ଦୃତ ଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବା ଓ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଦୀର୍ଘ ଚାରିଘଣ୍ଟା ଧରି ୫୯ ନଂ ଜାତୀୟ ରାଜପଥ ବାଲିଗୁଡ଼ା ଗାନ୍ଧୀ ଛକରେ ମୃତକଙ୍କ ଶବ ରଖି ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ପ୍ରଶାସନିକ ଅଧିକାରୀଙ୍କ ସମେତ ସାଂସଦ ପ୍ରତିନିଧି ଟୁନା ଦାସ ଓ ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ ପ୍ରମୁଖ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେବା ସହ ମୃତକଙ୍କ ପରିବାରକୁ ଥଇନାନ କରାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଦୀର୍ଘ ୪ଘଣ୍ଟା ଧରି ରାସ୍ତା ବନ୍ଦ ରହିବା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ