ଦୁର୍ଘଟଣାରେ ଯାଉଛି ଜୀବନ , ନିଷ୍କ୍ରିୟ ପୁର୍ତ ବିଭାଗ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରର ରାଜ୍ୟ ରାଜପଥ ନଂ ୨ର ଲାଓ ପ୍ୟାଲେସ ଛକଠାରେ ଶୁକ୍ରବାର ରାତି ପ୍ରାୟ ୯ ଘଟିକା ସମୟରେ ହୋଇଥିବା ଏକ ମର୍ମଦୁନ୍ତ ଦୁର୍ଘଟଣାର ଜଣେ ମହିଳାଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣା ପରେ ଯୋଡାବାସୀଙ୍କ ମନରେ ଏକ ଆନ୍ଦୋଳନାତ୍ମକ ମନୋଭାବ ସୃଷ୍ଟି ହୋଇଛି । ବାମେବାରୀ-ରଣାଶାଳ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁ ଦୈନନ୍ଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ଏବଂ ରାସ୍ତାର ନିର୍ମାଣ ଓ ମରାମତି ହେଉନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ଶତାଧିକ ଯୋଡାବାସୀ ଶନିବାର ପୁର୍ତ ବିଭାଗ ବିରୋଧରେ ଯୋଡା ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ଏହାର ସମାଧାନ ନିମନ୍ତେ ଯୋଡାବାସୀ ଶନିବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଯୋଡା ଥାନାକୁ ଯାଇଥିଲେ । ଯୋଡା ଥାନା ପକ୍ଷରୁ ପିଡବ୍ଲୁଡି ର ଅଧିକାରୀଙ୍କୁ ଫୋନ୍ ଯୋଗେ ଆଲୋଚନା ନିମନ୍ତେ ଆସିବା ପାଇଁ କୁହାଯାଇଥିଲେ ହେଁ, ବିଭିନ୍ନ ଆଳ କରି କୌଣସି ଅଧିକାରୀ ଥାନାକୁ ନଆସିବାରୁ ଆଲୋଚନା ହୋଇପାରିନଥିଲା । ତେବେ ବିରକ୍ତ ହୋଇ ଯୋଡାବାସୀ ପିଡବ୍ଲୁଡି ବିରୋଧରେ ଥାନାରେ ମାମଲା ରୁଜୁ ପାଇଁ ଲିଖିତ ଅଭିଯୋଗ କରିବେ ବୋଲି ଖବରଦାତାଙ୍କୁ କହିଥିଲେ । ସେମାନେ ତାଙ୍କ ଅଭିଯୋଗରେ କହିଥିଲେ ଯେ, ଏହି ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀମାନେ ଲୁହା ପଥର ବୋଝେଇ କରି ପରିବହନ କରୁଛନ୍ତି । ହଜାର ହଜାର ଟ୍ରକ ଡମ୍ପର ଚଳାଚଳ ହେତୁ ଦୀର୍ଘ ବର୍ଷ ହେବ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ବଡ ବଡ ଗର୍ତ ଖାଲଖମା ସୃଷ୍ଟି ହୋଇ ଜରାଜୀର୍ଣ୍ଣ ହୋଇପଡିଛି । ଏହି ରାସ୍ତା ଦେଇ ସାଧାରଣ ପଥଚାରୀଟେ ମଧ୍ୟ ଚାଲିକରି ଯିବା ଅସମ୍ଭବ ହୋଇପଡିଛି । ତଥାପି ଛୋଟ ବଡ ଯାନବାହନଗୁଡିକ ଚଳାଚଳ କରିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣାର ସ୍ୱୀକାର ହେଉଛନ୍ତି ଏବଂ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ, ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତଦବ୍ୟତିତ ରାସ୍ତାର ଦୁରାବସ୍ତା ହେତୁ ଧୂଳି ଉଡି ରାସ୍ତାଟି ଏକ ଧୂଳିର ବଳୟ ସୃଷ୍ଟି କରୁଛି । ଏହି ରାସ୍ତାର ମରାମତି ଏବଂ ନିର୍ମାଣ ପାଇଁ (ପିଡବ୍ଲୁଡି) ପୁର୍ତ ବିଭାଗ କୁ ଯୋଡାବାସୀ ବାରମ୍ବାର ଜଣାଇଥିଲେ ହେଁ , ବିଭାଗର ଅଣଦେଖା ତଥା ଅବହେଳା ହେତୁ ଏହି ରାସ୍ତାର ମରାମତି କିମ୍ବା ନିର୍ମାଣ କରାଯାଇପାରୁନାହିଁ । ଏଥିପ୍ରତି ଯୋଡା ପୌରପାଳିକା ମଧ୍ୟ ଦୃଷ୍ଟି ଦେଉନଥିବା ଯୋଡାବାସୀ ସୁଶାନ୍ତ ବାରିକ, ପିନ୍ଟୁ ସିଂ, ଦୀପକ ବିହାରୀ, ନିର୍ମଳ ସିଂ, ଚନ୍ଦନ ଜୟଶ୍ୱାଲ, ମନିଶ ଜୟଶ୍ୱାଲ, ମୁକେଶ ସିଂଘାଣିଆ ଓ ବୁଲୁ ମହାପାତ୍ର ପ୍ରମୁଖ ଅଭିଯୋଗ କରିଥିଲେ ।


