ଦୁର୍ବୃତ୍ତଙ୍କ ପଥର ମାଡ଼ରେ ପଥଚାରୀ ଗୁରୁତର, ପୁଲିସ୍ ନିରବଦ୍ରଷ୍ଟା
ଜଟଣୀ : ଜଟଣୀ ଥାନା ଗଜପତିନଗରରେ ରଞ୍ଜନ ପ୍ରଧାନ ଗତ ୨୩ ତାରିଖ ମଧ୍ୟାହ୍ନରେ ସ୍ଥାନୀୟ ଖଣ୍ଡୁଆଳ ମନ୍ଦିର ନିକଟକୁ ଭୋଜି କାର୍ଯ୍ୟକ୍ରମରେ ଯାଇଥିଲେ । ମାତ୍ର ସେଠାରୁ ଅପରାହ୍ନରେ ଫେରିବାବେଳେ ସାଇବାବା ମନ୍ଦିର ନିକଟରେ ୮ ରୁ ୧୦ ଯୁବକ ନିଶାଶକ୍ତ ଅବସ୍ଥାରେ ରଞ୍ଜନକୁ ଅଟକାଇଥିଲେ । ମାତ୍ର ସେ ନ ଅଟକିବାରୁ ତାଙ୍କ ବାଇକ୍କୁ ବାଉଁଶରେ ବାଡେଇ ତଳେ ପକାଇ ଦେବାସହ ରଞ୍ଜନଙ୍କ ଡାହାଣ ହାତକୁ ମୋଡି ଭାଙ୍ଗି ଦେଇଥିଲେ । ଘଟଣାସ୍ଥଳରେ ରଞ୍ଜନ ଅଚେତ ହୋଇଯିବା ପରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ । ରଞ୍ଜନଙ୍କ ମୋବାଇଲ୍ରୁ କେହି ତାଙ୍କ ମା’ଙ୍କୁ ଏ ନେଇ ଜଣାଇଥିଲେ । ଘଟଣାସ୍ଥ୍ଳରେ ମା’ ପହଞ୍ôଚ ରଞ୍ଜନକୁ ମାଡ଼ ମାରୁଥିବା ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ ବି ଦୁର୍ବୃତ୍ତମାନେ ଅଟକି ନଥିଲେ । ସେମାନେ ମାଆ ଗୋଲାପ ପ୍ରଧାନଙ୍କୁ ଗାଳି ଗୁଲଜ ଦେବାସହ ହତ୍ୟା ଧମକ ଦେଇ ସେଠାରୁ ଚମ୍ପଟ ମାରିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ରଞ୍ଜନକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଏନେଇ ଗତ ୨୭ ତାରିଖରେ ଜଟଣୀ ଥାନାରେ ଅଭିଯୋଗ କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ୫ ଦୁର୍ବୃତ୍ତଙ୍କ ପରିଚୟ ଦିଆଯାଇଥିଲେ ମଧ୍ୟ ପୁଲିସ୍ ଏମାନଙ୍କ ନିକଟରେ ପହଞ୍ôଚ ପାରିନଥିବା ଅଭିଯୋଗ ହୋଇଛି । ଅଭିଯୋଗର ୫ ଦିନ ପରେ ବି ପୁଲିସ୍ ଏପର୍ଯ୍ୟନ୍ତ ଏମାନଙ୍କ ପ୍ରତି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଏବଂ ପୁଲିସ୍ ପ୍ରଶାସନର ଏପରି ଅବହେଳାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


