ଦେଓମାଳି ଉତ୍କଳ ଜନନୀଙ୍କ ମୁକୁଟ – ଓଡ଼ିଶା ନାଗରିକ ମହାମଞ୍ଚ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ଜନନୀଙ୍କ ପ୍ରତି ପ୍ରକୃତି ରାଣୀଙ୍କ ଅମୂଲ୍ୟ ଉପହାର ସୌନ୍ଦର୍ଯ୍ୟ ଓ ଅସୀମ ଅମୂଲ୍ୟ ଖଣିଜ ସମ୍ପଦର ଗନ୍ତାଘର ତଥା ଓଡ଼ିଶାର ସର୍ବାଧିକ ଉଚ୍ଚ ପର୍ବତମାଳା “ଦେଓମାଳି” । ଉତ୍କଳ ଜନନୀଙ୍କ ଅପୂର୍ବ ସୌନ୍ଦର୍ଯ୍ୟମୟ ପାଟ୍ଟବସ୍ତ୍ରର ପଣତକାନି “କୋଟିଆ” ଅଞ୍ଚଳ ଉପରେ ଦେଶୀ-ବିଦେଶୀ ସମ୍ପଦ ଲୁଟେରାମାନଙ୍କ ଚକ୍ରାନ୍ତାଧାରିତ ଲୋଲୁପ ଦୃଷ୍ଟି ପଡ଼ିଥିବା ବେଳେ ଆନ୍ଧ୍ର ସରକାର ହୋଇଛନ୍ତି ମାଧ୍ୟମ । ସକଳ ପ୍ରକାର ଚକ୍ରାନ୍ତାଧାରିତ ଯୋଜନା କରି କୋଟିଆ ଅଞ୍ଚଳକୁ ଦଖଲ କରିବାକୁ ପ୍ରତି ମୁହୂର୍ତ୍ତରେ ତା’ର ଅଭିଯାନ ଚଳାଇଥିବା ବେଳେ ଗଣତନ୍ତ୍ରର ପବିତ୍ର ମନ୍ଦିର “ଓଡ଼ିଶା ବିଧାନ ସଭା”ରେ ରାଜସ୍ୱ ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀଙ୍କ ଆତ୍ମଘାତୀ ବିସ୍ଫୋରକ ମନ୍ତବ୍ୟ ଆନ୍ଧ୍ରକୁ ପ୍ରୋତ୍ସାହିତ କରିଛି । ଓଡ଼ିଶା ସରକାରଙ୍କ ଉଦାସୀନତା ଯୋଗୁଁ ଆନ୍ଧ୍ରର ଦାଦାଗିରି ବଢ଼ିଚାଲିଛି । ଦେଓମାଳି ଯେ ଓଡ଼ିଶାର ଅବିଚ୍ଛେଦ୍ୟ ଅମୂଲ୍ୟ ଅଙ୍ଗ ଏବଂ ଏହାର ସୌନ୍ଦର୍ଯ୍ୟକରଣ କରି ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରାଇବା ପାଇଁ ଜନ ଜାଗରଣ ଓ କୋଟିଆ ଅଞ୍ଚଳର ଓଡ଼ିଆ ଭାଇଭଉଣୀମାନଙ୍କ ମଧ୍ୟରେ ଓଡ଼ିଆ ଅସ୍ମିତାବୋଧ, ସ୍ୱାଭିମାନ ତଥା ଓଡ଼ିଆ ଗଉଁଦାରୀ ଭାବନା ଦୃଢ଼ୀଭୂତ କରାଇବା ପାଇଁ ସୀମା ସୁରକ୍ଷା ଅଭିଯାନର ଆହ୍ୱାନରେ “ଚାଲ ଦେଓମାଳି ଚାଲ କୋଟିଆ” ଡାକରାରେ ହଜାର ହଜାର ସଂଖ୍ୟାରେ ଓଡ଼ିଆମାନେ ଆସନ୍ତା ଅକ୍ଟୋବର ୧୬ ତାରିଖରେ ଦେଓମାଳି ସମାବେଶର ଆୟୋଜନ କରିଛି ବୋଲି ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ପ୍ରକାଶ କରିଛନ୍ତି । ଓଡ଼ିଶାର କୋଣ ଅନୁକୋଣରୁ ମାଟି ମନସ୍କ, ଭାଷା ସାହିତ୍ୟ ସଂସ୍କୃତିପ୍ରାଣ, ସ୍ୱାଭିମାନୀ ଓଡ଼ିଆମାନେ ବିପୁଳ ସଂଖ୍ୟାରେ ଯୋଗଦେବାକୁ ଯାଉଛନ୍ତି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ