ଦେବୀ ସାଜିଛି ଦାନବୀ : ଶହ ଶହ ଏକର ଚାଷ ଜମି ନଦୀ ଗର୍ଭ ରେ ଲୀନ ହୋଇଛି
ନିମାପଡ଼ା, (ସନ୍ତୋଷ ଦାଶ) :-ଦେବୀ ନଦୀ ମହାନଦୀରୁ ବାହାରି ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହୋଇ ଶେଷରେ ନୂଆଗଡ଼ ଠାରେ ସ-ମୁଦ୍ର ରେ ମିଶିଛି । ମହାନଦୀର ୬୦ ପ୍ରତିଶତ ବନ୍ୟାଜଳ ପ୍ରତିବର୍ଷ ଦେବୀନଦୀ ଦେଇ ପ୍ରବାହିତ ହେଉଥିବା ଜଳସେଚନ ବିଭାଗ ଆକଳନ କରିଛି । କିଛି ବର୍ଷ ହେବ ଦେବୀ ନଦୀ କାକଟପୁର ବ୍ଲକର ବାଉରିଆକଣ ଠାରୁ ଅସ୍ତରଙ୍ଗ ବ୍ଲକର କାଳିଆକଣ ପର୍ଯ୍ୟନ୍ତ ପ୍ରାୟ ୯ କିମି ଦକ୍ଷିଣ ପାର୍ଶ୍ଵ କୂଳ ଖାଇ ଖାଇ ଚାଲିଛି । ଫଳରେ ଉଭୟ ବ୍ଲକର ଶତାଧିକ ଚାଷୀଙ୍କ ଶହଶହ ଏକର ଚାଷ ଜମି ନଦୀଗର୍ଭକୁ ଚାଲିଯାଇଛି । ନଦୀରେ ବର୍ଷତମାମ ଜଳପୂର୍ଣ୍ଣ ରହୁଥିବାରୁ ଏଥିରୁ ମାଛଧରି ଏବଂ ଏହାର ପାଣିକୁ ଗ୍ରୀଷ୍ମଋତୁରେ ବିଲରେ ମଡ଼ାଇ ଭଲ ଫସଲ କରି ଆସୁଥିଲୁ । ଏବେକିନ୍ତୁ ଦେବୀ ଦାନବୀ ପାଲଟି ଯାଇଛି । ଦକ୍ଷିଣ ପାର୍ଶ୍ୱକୁ ମାଡ଼ି ମାଡ଼ି ଆସି ଆମମାନଙ୍କ ଚାଷ ଜମିକୁ ତା ଗର୍ଭରେ ଲୀନ କରି ଆମ କୁ ସର୍ବସ୍ବାନ୍ତ କରିସାରିଲାଣି ବୋଲି କହିଛନ୍ତି ନଇଗୁଆଁର ଚାଷୀ ଭିକାରୀ ପ୍ରଧାନ।ସ୍ଥାନୀୟ ଜଳସେଚନ ବିଭାଗ କେବଳ ବାଉରିଆକଣ ଠାରେ ନଦୀ ବନ୍ଧ କୁ ସୁରକ୍ଷା ଦେବାକୁ ବନ୍ଧ ରେ ପଥର ପ୍ୟାକିଂ ସହିତ ସ୍ପର ନିର୍ମାଣ କରୁଛି କିନ୍ତୁ ବନ୍ଧ ର ଅନ୍ୟ ସ୍ଥାନ ପ୍ରତି ଦୃଷ୍ଟି ଦେଉନାହିଁ ବୋଲି କହିଛନ୍ତି ଅସନ ଗ୍ରାମର ଚାଷୀ ସୁମନ୍ତ ଖୁଣ୍ଟିଆ । ପ୍ରତିବର୍ଷ ବର୍ଷାଋତୁ ରେ ହୀରାକୁଦ ଜଳଭଣ୍ଡାର ବନ୍ୟା ଜଳ ଛାଡ଼ିଲେ ଦେବୀନଦୀର ତଳମୁଣ୍ଡ ଫୁଲିଉଠୁଛି । କାଳେ କେଉଁଠି ବନ୍ଧ ରେ ଘାଇ ହୋଇଯିବ ସେଥିପାଇଁ ଜଳସେଚନ ବିଭାଗ ଅଧିକାରୀ ଆଉ ସ୍ଥାନୀୟ ଲୋକଙ୍କ ଆଖିରୁ ନିଦ ହଜି ଯାଉଛି । ନଦୀର ବାମପାଶ୍ଵ ବନ୍ଧ ର ନଗର ଠାରେ ନଦୀଜଳ ବର୍ଷା ଦିନେ ବନ୍ଧ ଦାଢ଼କୁ ଲାଗିଯାଇ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରୁଛି । ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗତବର୍ଷ ଦେବୀନଦୀ ବନ୍ଧପରିଦର୍ଶନ କରିବା ସମୟରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କୁ ବନ୍ଧ ର ଅବସ୍ଥା ସଂପର୍କ ରେ ଅବଗତ କରାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ କିଛି ବି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଯଦି ଦେବୀ ନଦୀ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତେବେ ନଗର, ଅସନ, ନୂଆଗଡ କାଳିଆକଣ ପ୍ରଭୃତି ସ୍ଥାନ ରେ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ଜଳସେଚନ ବିଭାଗ ପକ୍ଷରୁ ଦୁର୍ବଳ ଥିବା ନଦୀ ବନ୍ଧ ସ୍ଥାନକୁ ଚିହ୍ନଟ କରି ସୁଦୃଢ କରାଯିବାକୁ ସାଧାରଣ ରେ ଦାବି ହେଉଛି ।


