ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା ୧୧ ହଜାର ଟପିଲା, ୩୭୭ ମୃତ

ନୂଆଦିଲ୍ଲୀ: ଦେଶରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୩୭୭ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୧ ହଜାର ଅତିକ୍ରମ କରିସାରିଛି। ବୁଧବାର ଅପରାହ୍ନ ୨ଟା ସୁଦ୍ଧା ଦେଶରେ ଆହୁରି ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅଦ୍ୟାବଧି ୧୩୦୫ ଜଣ ସୁସ୍ଥ ହୋଇସାରିଛନ୍ତି। ୯ ହଜାର ୭୫୬ ଜଣ ରୋଗୀ ଚିକିତ୍ସାଧୀନ ଥିବା ବେଳେ ମଙ୍ଗଳବାର ରାତି ସୁଦ୍ଧା ଦେଶରେ ୩୫୫ ଜଣ ମୃତ୍ୟୁବରଣ କରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ୱେବସାଇଟରେ ଉପଲବ୍ଧ ତଥ୍ୟରୁ ଜଣାପଡ଼ିଛି। ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କ୍ଷେତ୍ରରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି। ଏହି ରାଜ୍ୟରେ ଅଦ୍ୟାବଧି ୨୬୮୭ ଜଣ ଆକ୍ରାନ୍ତ ଠାବ ହୋଇସାରିଥିବା ବେଳେ ସର୍ବାଧିକ ୧୭୮ ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୫୬୧ରେ ପହଞ୍ଚିଛି। ଏଠାରେ ଅଦ୍ୟାବଧି ୩୦ ଜଣ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ମୃତକଙ୍କ ସଂଖ୍ୟାରେ ମଧ୍ୟ ପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି, ଯେଉଁଠାରେ ୫୦ ଜଣ ମୃତ୍ୟୁବରଣ କରିସାରିଛନ୍ତି। ଏହି ରାଜ୍ୟରେ ଅଦ୍ୟାବଧି ୭୩୦ ଜଣ ଆକ୍ରାନ୍ତ ହୋଇଛନ୍ତି।
ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୩ୟ ସ୍ଥାନରେ ରହିଛି ତାମିଲନାଡ଼ୁ, ଯେଉଁଠି ୧୨୦୪ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ଅଦ୍ୟାବଧି ଏଠାରେ ୧୨ ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ରାଜସ୍ଥାନରେ ୯୬୯ ଜଣ ମୃତ୍ୟୁବରଣ କରିଥିବା ବେଳେ ମାତ୍ର ୩ ଜଣ ମୃତ୍ୟୁବରଣ କରିଛନ୍ତି। ବୁଧବାର ଗୁଜରାଟର ଅହମଦାବାଦ ଅନ୍ତର୍ଗତ ବରହମପୁରା ଅଞ୍ଚଳର ଜିଲ୍ଲାପାଳ ବଦରୁଦ୍ଦିନ୍ ଶେଖ୍ କୋରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି ବୋଲି ଏଠାକାର କମିଶନର୍ ବିଜୟ ନେହରା ସୂଚନା ଦେଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ବିହାରରେ ୪ ଜଣ ଆକ୍ରାନ୍ତ ଠାବ ହେବା ଫଳରେ ଏଠାରେ ୭୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାଛଡ଼ା ଆନ୍ଧ୍ର ପ୍ରଦେଶରେ ନୂଆ ୧୯ ଜଣ ଆକ୍ରାନ୍ତଙ୍କ ସହ ଏହି ସଂଖ୍ୟା ୫୦୨ରେ ପହଞ୍ଚିଯାଇଛି। ମହାରାଷ୍ଟ୍ରର ଧରାବୀ ବସ୍ତିରେ ୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏଠାରେ ୬୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଅଦ୍ୟାବଧି ୭ ଜଣ ଏହି ବସ୍ତିବାସିନ୍ଦା ମୃତ୍ୟୁବରଣ କରିସାରିଛନ୍ତି। ସେହିପରି ଆଜି ପର୍ଯ୍ୟନ୍ତ ଦେଶରେ ୨ ଲକ୍ଷ ୩୧ ହଜାର ୯୦୨ଟି ନମୁନା ୧୬୬ଟି ସରକାରୀ ଓ ୭୦ଟି ଘରୋଇ ଲାବୋରେଟୋରିରେ ପରୀକ୍ଷା କରାଯାଇଛି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ