ଦୈନିକ ସମ୍ବାଦପତ୍ର “ସଂଚାର’ର ସପ୍ତମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ନିର୍ଭୀକ ଓ ସତ୍ୟ ସମ୍ବାଦ ପରିବେଷଣ ପ୍ରତ୍ୟେକ ସମ୍ବାଦପତ୍ରର ମୂଳଧର୍ମ ବୋଲି ମନ୍ତବ୍ୟ ଦେଇଛନ୍ତି ରାଜ୍ୟର ସୂଚନା ଓ ଲୋକସଂପର୍କ ତଥା ଜଳସଂପଦ ବିଭାଗର ମନ୍ତ୍ରୀ ରଘୁନନ୍ଦନ ଦାସ । ଡିସେମ୍ବର ୨୨ତାରିଖରେ ସ୍ଥାନୀୟ କେଶରୀ ହୋଟେଲ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଥିବା ଦୈନିକ ସମ୍ବାଦପତ୍ର “ସଂଚାର’ର ସପ୍ତମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି ।  ସଂଚାରର ପ୍ରକାଶକ ତଥା ପରିଚାଳନା ନିର୍ଦ୍ଦେଶକ ମୁରଲୀଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସକ ପ୍ରସନ୍ନ କୁମାର ମିଶ୍ର ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ପାରାଦୀପ ବିଧାୟକ  ସମ୍ବିତ ରାଉତରାୟ, ସଂଚାରର ନିର୍ଦ୍ଦେଶିକା ଗୀତାଞ୍ଜଳି ରାଉତରାୟ,  ପ୍ରୀତିନନ୍ଦା ରାଉତରାୟ  ଏବଂ ପୁନମ୍ ବେଦୀ ଉପସ୍ଥିତ ଥିଲେ ।  ମୁଖ୍ୟବକ୍ତା ପ୍ରସନ୍ନ ମିଶ୍ର ତାଙ୍କର ଅଭିଭାଷଣରେ  ସାଂପ୍ରତିକ ସମାଜରେ ସମ୍ବାଦପତ୍ରର ନିରପେକ୍ଷ ଓ ବାସ୍ତବଚିନ୍ତାଧାରା ଆଧାରିତ ସମ୍ବାଦ ପରିବେଷଣ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସେ କହିଥିଲେ ଏବେ ବି ଗୋପବନ୍ଧୁଙ୍କ ଭଳି ସମ୍ବେଦନଶୀଳ ସାମ୍ବାଦିକଙ୍କର ଆବଶ୍ୟକତା ରହିଛି । ଦୈନିକ ସଂଚାର ଆଗାମୀଦିନରେ ଏହି ସମ୍ବେଦନଶୀଳତାର ଉତ୍ତରାଧୀକାରୀ ହୋଇ ପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରସନ୍ନ ମିଶ୍ରଙ୍କୁ “ସଂଚାର ସମ୍ମାନ-୨୦୧୯’ ମୁଖ୍ୟଅତିଥି ପ୍ରଦାନ କରିଥିଲେ ।  ଏହା ବ୍ୟତୀତ ଅନ୍ୟ ମଞ୍ଚାସୀନ ଅତିଥିମାନେ ୧୨ଜଣ ସାମ୍ବାଦିକଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ସଂଚାରର ବାର୍ତ୍ତା ସଂପାଦକ ହରିହର ତ୍ରିପାଠୀ ସ୍ୱାଗତଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା । ଏହି ସ୍ୱନକ୍ଷତ୍ର ଉତ୍ସବରେ  ସାରା ରାଜ୍ୟରୁ ଖବରକାଗଜର ଜିଲ୍ଲା ପ୍ରତିନିଧି, ଆଞ୍ଚଳିକ ଖବରଦାତା ତଥା ଶୁଭେଛୁମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ